ବେଙ୍ଗାଲୁରୁ:ସଡକ ସୁରକ୍ଷା କ୍ଷେତ୍ରରେ ଏକାଧିକ ନିୟମ ରହିଛି । ହେଲେ ସଚେତନତା ଅଭାବ ଓ ବିଶୃଙ୍ଖଳିତ ମନୋଭାବ ପାଇଁ ଦୁର୍ଘଟଣା ଘଟୁଛି । ଧନଜୀବନ ବିପନ୍ନ ହେଉଛି । ଏପରି ଏକ ମାମଲାରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ ସ୍ଥାନୀୟ କୋର୍ଟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜଣେ ନାବାଳକକୁ ମୋଟରସାଇକେଲ ଚଲାଇବାକୁ ଦେଇଥିବା ଜଣେ ମହିଳାଙ୍କୁ କୋର୍ଟ 30 ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।
ଘଟଣାଟି କିଛି ଦିନ ପୂର୍ବେ ଶିବମୋଗା ଜିଲ୍ଲାର ଇଷ୍ଟ-ଟ୍ରାଫିକ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା । ଜଣେ ନାବାଳକ ଏକ ବାଇକ ଚଳାଉଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା । ସେତେବେଳେ ନାବାଳକ ନିକଟରେ ଡ୍ରାଇଭିଂ ଲାଇସେନ୍ସ ତ ଦୂରର କଥା, ତାର ବୟସ ମାତ୍ର 17 ବର୍ଷ ବୋଲି ଜଣାପଡିଥିଲା । ତେବେ ପୋଲିସ ଗାଡିକୁ ଜବତ କରି କାଗଜପତ୍ର ଯାଞ୍ଚ କରିବା ସମୟରେ ଗାଡିଟି ସମ୍ପୃକ୍ତ ନାବାଳକର ମା’ଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡିଥିଲା । ପୋଲିସ ଏହି ମହିଳାଙ୍କ ବିରୋଧରେ ଟ୍ରାଫିକ ରୁଲ୍ସ ଓ ମୋଟର ଭେଇକିଲ ଆକ୍ଟରେ ମାମଲା ରୁଜୁ କରିଥିଲା ।
ଆଜି ଏହି ମାମଲାର ଶୁଣାଣି ଶିବମୋଗାର ଥାର୍ଡ-ଏସିଜେ ଓ ଜେଏମଏଫସି କୋର୍ଟରେ ହୋଇଥିଲା । କୋର୍ଟ ଏହି ମାମଲାକୁ ଅତି ଗମ୍ଭୀରତାର ସହ ନେଇଥିଲେ । ସମ୍ପୃକ୍ତ ମହିଳାଙ୍କ ବେପରୁଆ ମନୋଭାବକୁ କୋର୍ଟ ସମାଲୋଚନା କରିଥିଲେ । ଦାୟିତ୍ବହୀନତା ଓ ଟ୍ରାଫିକ ରୁଲ୍ସ ଉଲ୍ଲଙ୍ଘନ ପାଇଁ କୋର୍ଟ ମହିଳାଙ୍କୁ 30 ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।