ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପାଣି ଭର୍ତ୍ତି ଗାତ ଭିତରେ ପଶିଗଲା ଚଳନ୍ତା କାର । ଏଥିରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । କାନପୁର ଜିଲ୍ଲାର ଦେହାତରେ ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ମନ୍ଦିରରୁ ଫେରିବା ବାଟରେ ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୩ ବର୍ଷର ଶିଶୁ ଗୁରୁତର
କାନପୁର ଜିଲ୍ଲା ଦେହାତ ଥାନା ସିକନ୍ଦର ସନ୍ଦଲପୁର ରାସ୍ତା ନିକଟ ଜଗନ୍ନାଥପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳ ସମୟରେ ଏକ କାର ଦ୍ରୁତ ବେଗରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ପାଣି ଭର୍ତ୍ତି ଗାତ ଭିତରେ ପଶିଯାଇଥିଲା । ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଜେସିବି ସାହାଯ୍ୟରେ କାରଟିକୁ ଗାତ ମଧ୍ୟରୁ ବାହାରକୁ ଅଣାଯାଇଥିଲା । ଦୁର୍ଘଟଣାରେ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ କାନପୁର ଡାକ୍ତରଖାନାକୁ ପଠାଯାଇଛି । ଅନ୍ୟପଟେ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୋଲିସ ହସ୍ପିଟାଲକୁ ପଠାଇଛି । ମୃତଦେହ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି । କୁହାଯାଉଛି ଯେ ବର୍ଷା ସମୟରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା କାର ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଗାତରେ ପଶିଯାଇଥିଲା । ଦୁର୍ଘଟଣା ସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ-ଦୁର୍ଘଟଣା ପରେ ଜଳିଗଲା ଟ୍ରକ-ବସ: 19 ମୃତ, 22ରୁ ଅଧିକ ଆହତ
ଗତ ଅକ୍ଟୋବର ମାସରେ ବାରଣାସୀର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଗୋଟିଏ କାର୍ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ 8 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ଗୋଟିଏ ପରିବାରର ସଦସ୍ୟ । ସେମାନେ ବାରଣାସୀରେ କାଶୀ ବିଶ୍ବନାଥଙ୍କ ଦର୍ଶନ କରି କାରରେ ଜୈନପୁର ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ବାଟରେ ଗୋଟିଏ ଟ୍ରକ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗାଡିରେ ଥିବା ସମସ୍ତ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କେବଳ ଏକ ଶିଶୁର ଜୀବନ ବଞ୍ଚିଯାଇଥିଲା ।