ଶ୍ରୀନଗର:ଉରୀରେ କ୍ରିକେଟର ଗଡଫାଦର ସଚିନ ତେନ୍ଦୁଲକର । ସୀମାରେ ପହଞ୍ଚି ସେନାରେ କାର୍ଯ୍ୟରତ ଯବାନଙ୍କ ସହ କଲେ ସାକ୍ଷାତ । ଆଜି ଜମ୍ମୁକାଶ୍ମୀର ସ୍ଥିତ ବରମୁଲ୍ଲା ଜିଲ୍ଲାରେ ନିଜ ପରିବାର ସହ ପହଞ୍ଚିଥିଲେ ତେନ୍ଦୁଲକର । ସେଠାରେ ଥିବା କମାଣ୍ଡ ପୋଷ୍ଟ ନିକଟକୁ ଯାଇ ଯବାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ପ୍ରୋତ୍ସାହନ କରିଛନ୍ତି ।
ସୂଚନା ମୁତାବକ, ବର୍ତ୍ତମାନ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ସପରିବାର ସହ କାଶ୍ମୀର ଟ୍ରିପରେ ଯାଇଛନ୍ତି । ଗତ ଶନିବାର ସଚିନ ଜମ୍ମୁକାଶ୍ମୀର ଗସ୍ତ କରିଥିଲେ । ତାଙ୍କର ସହିତ ରହିଛନ୍ତି ଝିଅ ସାରା ତେନ୍ଦୁଲକର ଓ ପତ୍ନୀ ଅଞ୍ଜଳି । ତେବେ ଏଲଓସିରେ ସେନାର ଯବାନଙ୍କୁ ସାକ୍ଷାତ ପୂର୍ବରୁ ଜମ୍ମୁକାଶ୍ମୀର ସ୍ଥିତ ଅବନ୍ତିପୁରାର ଚାରସୁରେ ସେ ଏକ ବ୍ୟାଟ ତିଆରି କାରଖାନା ପରିଦର୍ଶନ କରିଥିଲେ । ବ୍ୟାଟ୍ ତିଆରି କରୁଥିବା କାରିଗରଙ୍କୁ ବେଶ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଉତ୍କୃଷ୍ଟ କ୍ରିକେଟ ବ୍ୟାଟ ଉତ୍ପାଦନ ପାଇଁ କାଶ୍ମୀର ବେଶ ପ୍ରସିଦ୍ଧ । ମହାନ କ୍ରିକେଟରଙ୍କ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଥିଲେ ସ୍ଥାନୀୟ ବାସିନ୍ଦା ଓ କ୍ରିକେଟ୍ ପ୍ରେମୀ ।
ସେହିପରି ସଚିନ ଜମ୍ମୁକାଶ୍ମୀରରେ ଗଲ୍ଲି କ୍ରିକେଟ୍ ଖେଳିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ଗତକାଲି (ବୁଧବାର) ଏନେଇ ଏକ ଭିଡିଓ ସେୟାର କରିଥିଲେ। ଆଉ କ୍ୟାପସନରେ ଲେଖିଥିଲେ, "ପ୍ରଥମ ବ୍ୟାଟ୍ ମେତେ ମୋ ଭଉଣୀଙ୍କଠାରୁ ଉପହାର ମିଳିଥିଲା। ଯାହାକି 'କାଶ୍ମୀର ୱିଲୋ' କମ୍ପାନୀର ଥିଲା । ଏବେ ମୁଁ ସେହି କାଶ୍ମୀରରେ ଅଛି। ଖେଳିବି ତ ନିଶ୍ଚୟ।"