ରାଞ୍ଚି:ଜମି ଘୋଟାଲା ମାମଲାରେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି ପୁଣି ବଢିଲା । ଆଜି ତାଙ୍କୁ ଆଉ 5ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି କୋର୍ଟ । 2 ତାରିଖରେ ତାଙ୍କୁ ପ୍ରଥମ ପର୍ଯ୍ୟାୟରେ 5 ଦିନିଆ ଇଡି ରିମାଣ୍ଡରେ ପଠାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ କେନ୍ଦ୍ରୀୟ ସଂସ୍ଥା ହେମନ୍ତଙ୍କୁ ରାଞ୍ଚି ସ୍ଥିତ ‘ପିଏମଏଲଏ’ କୋର୍ଟରେ ହାଜର କରିଥିଲା । ଅଧିକ ତଦନ୍ତର ଜେରାର ଦର୍ଶାଇ ଇଡି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ମାଗିଥିଲା । କୋର୍ଟ ଆଜି ହେମନ୍ତଙ୍କୁ ଆଉ 5 ଦିନ ତଦନ୍ତକାରୀ ସଂସ୍ଥା ରିମାଣ୍ଡରେ ପଠାଇଛନ୍ତି ।
ଗତମାସ (ଜାନୁଆରୀ) 31 ତାରିଖରେ ଦିନ ତମାମ ବାସଭବନରେ ଜେରା କରିବା ପରେ ସଂଧ୍ୟାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଜେରା ମଧ୍ୟରେ ସେ ଇଡି କଷ୍ଟଡିରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ଦେଇ ଫେରିଥିଲେ । ପରେ ତାଙ୍କୁ ଗିରଫ କରି କାର୍ଯ୍ୟାଳୟକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ । ଫେବୃଆରୀ ପହିଲାରେ ତାଙ୍କୁ ରାଞ୍ଚିର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ବେଲ ଆବେଦନ ଖାରଜ ହେବା ସହ କୋର୍ଟ ତଦନ୍ତକାରୀ ସଂସ୍ଥାର ରିମାଣ୍ଡ ଆବେଦନର ଶୁଣାଣି ଫେବୃଆରୀ 2କୁ ସ୍ଥଗିତ ରଖିଥିଲେ । ଫଳରେ ତାଙ୍କୁ ଗୋଟିଏ ରାତି ବିଚାର ବିଭାଗୀୟ ଜେଲରେ ରହିବାକୁ ପଡିଥିଲା ।