ଚେନ୍ନାଇ:ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ତାମିଲନାଡୁ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଏକାଧିକ ମନ୍ଦିର ଦର୍ଶନ ମଧ୍ୟ କରୁଛନ୍ତି । ଆଜି ଗସ୍ତର ଶେଷ ଦିନ ରହିଥିବା ବେଳେ ସକାଳ ସମୟରେ ତାମିଲନାଡୁର ଧନୁଷକୋଡି ଗସ୍ତ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ଆରିଚାଲ ମୁନାଇ ପରିଦର୍ଶନ କରିଥିଲେ । ଯେଉଁଠାରୁ ରାମ ସେତୁ ନିର୍ମାଣ ହୋଇଥିଲା ବୋଲି ବିଶ୍ବାସ ରହିଛି । ଆରିଚାଲ ମୁନାଇ ପଏଣ୍ଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମୋଦି । ଏହାପରେ କୋଠଣ୍ଡରାମାସ୍ୱାମୀ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । କୋଥାଣ୍ଡଡ୍ରାମା ନାମର ଅର୍ଥ ହେଉଛି ଧନୁ ସହିତ ରାମ ।
ଆଜି ସକାଳ 9ଟା 30 ମିନିଟ ସମୟରେ ଆରିଚାଲ ମୁନାଇ ପଏଣ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । କିଛି ସମୟ ସେଠାରେ ସମୟ ବିତାଇବା ପରେ ସେହିପରି ଧନୁଷକୋଡିରେ ଥିବା କୋଠଣ୍ଡରାମାସ୍ୱାମୀ ମନ୍ଦିର ପରିଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିଥିଲେ । ବିଶ୍ବାସ ରହିଛି ଧନୁଷକୋଡିରେ ଭଗବାନ୍ ରାମ ରାବଣକୁ ପରାସ୍ତ କରିବାକୁ ଶପଥ ନେଇଥିଲେ। ଏହି ପବିତ୍ର ମାଟିରୁ ଲଙ୍କାକୁ ଯାଇଥିଲେ ପ୍ରଭୁ ରାମଚନ୍ଦ୍ର । ଏଥିସହ ଏଠାରେ ବିଭୀଷଣ ପ୍ରଥମେ ଶ୍ରୀରାମଙ୍କୁ ଭେଟି ଆଶ୍ରୟ ମାଗିଥିଲେ। କେତେକ କିମ୍ବଦନ୍ତୀରେ ଏହା ମଧ୍ୟ କୁହାଯାଇଛି ଯେ ଏହି ସ୍ଥାନରେ ଶ୍ରୀରାମ ବିଭୀଷଣର ରାଜ୍ୟାଭିଷେକ ପରିଚାଳନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି କାହିଁକିନା ଆସନ୍ତାକାଲି ରମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି ।