ନୂଆଦିଲ୍ଲୀ: ଗୁପ୍ତଚରଗିରି କରିବା ଅଭିଯୋଗରେ କତାରରେ ଗିରଫ ହୋଇ ଫାଶୀ ଦଣ୍ଡାଦେଶ ପାଇଥିବା 8 ଭାରତୀୟ ପୂର୍ବତନ ନୌସେନାଧିକାରୀଙ୍କୁ ଆଜି ସ୍ଥାନୀୟ ସରକାର ମୁକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣ ସ୍ବଦେଶ ମଧ୍ୟ ଫେରିଛନ୍ତି । ଏହି ମାମଲାରେ ଭାରତ ଜଟିଳ ଆଇନଗତ ଓ କୂଟନୈତିକ ଲଢେଇ ଲଢିଥିଲା । ଏହି ମାମଲାର ପ୍ରତିଟି ଘଟଣାକ୍ରମ ଉପରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ତଦାରଖ କରୁଥିଲେ । ସେ କୌଣସି ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ କରିନଥିଲେ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି ।
ଆଜି ଏହି ପ୍ରସଙ୍ଗରେ ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା କହିଛନ୍ତି, ‘‘କତାରରେ ଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକ ମୁକ୍ତ ହୋଇ ସ୍ବଦେଶ ଫେରିବା ଭାରତର ବଡ କୂଟନୈତିକ ବିଜୟ । ଆମେ କତାର ସରକାର ଓ ସ୍ଥାନୀୟ ଅମିରଙ୍କୁ ଏଥିପାଇଁ ଧନ୍ୟବାଦ ଦେଉଛୁ । 8 ମଧ୍ୟରୁ 7ଜଣ ସ୍ବଦେଶ ଫେରିଆସିବା ଆମ ପାଇଁ ବେଶ ଖୁସିର ବିଷୟ । ଏମାନଙ୍କୁ ସ୍ବଦେଶ ଫେରାଇବା ପାଇଁ ଭାରତ ସରକାର ପ୍ରାଥମିକତାର ସହ ସମସ୍ତ ଉଦ୍ୟମ କରିଥିଲେ । ଏହି ମାମଲାର ପ୍ରତ୍ୟେକ କ୍ରମବିକାଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବ୍ୟକ୍ତିଗତ ଭାବେ ତଦାରଖ କରୁଥିଲେ ।
ସୂଚନା ଅନୁସାରେ, ଏହି 8 ପୂର୍ବତନ ନୌସେନା ଅଧିକାରୀଙ୍କୁ ଗତବର୍ଷ ସେପ୍ଟେମ୍ବରର ଇସ୍ରାଏଲ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ କତାର ଗିରଫ କରିଥିଲା । ଏମାନେ ପୂର୍ବରୁ ନୌସେନାରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ଭାରତୀୟ ନୌସେନା ଜାହାଜର କମାଣ ସମ୍ଭାଳିଥିବା ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ରହିଥିଲେ । ଏହି ସମସ୍ତ ପୂର୍ବ ଅଧିକାରୀମାନେ ଭାରତୀୟ ନୌସେନାରୁ ସେବାନିବୃତ୍ତ ହେବା ପରେ କତାରରେ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସେସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ତାଲିମ ଏବଂ ଆନୁସଙ୍ଗିକ ସେବା ଯୋଗାଇ ଆସୁଛି ।