ନୂଆଦିଲ୍ଲୀ: ଜାତିସଂଘ ମହାସଭା ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ସେପ୍ଟେମ୍ବର 24 ରୁ 30ତାରିଖ ପର୍ଯ୍ୟନ୍ତ ଜାତିସଂଘର 79ତମ ଅଧିବେଶନର ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରି 26 ତାରିଖରେ ଏହି ବୈଶ୍ବିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସରକାରୀ ଭାବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କିଛି କୁହାଯାଇନଥିବା ବେଳେ ସୂତ୍ରରୁ ଏନେଇ ସୂଚନା ମିଳିଛି ।
ଏହି ଶିଖର କାର୍ଯ୍ୟକ୍ରମ ପାଇଁ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ବକ୍ତା ସୂଚୀ ଅନୁସାରେ, ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ରାଷ୍ଟ୍ରମୁଖ୍ୟ ବା ଅଧିକାରୀ 26 ତାରିଖ ଅପରାହ୍ନରେ ଅଧିବେଶନକୁ ସମ୍ବୋଧିତ କରିବେ । ତେବେ ଏହା ଜାତିସଂଘର ଚୂଡାନ୍ତ ସୂଚୀ ନୁହେଁ । ଏଥିରେ ସଂଶୋଧନ ମଧ୍ୟ କରାଯାଇପାରେ । ସମ୍ମିଳନୀ ନିକଟବର୍ତ୍ତୀ ସମୟରେ କାର୍ଯ୍ୟସୂଚୀ ଓ ବକ୍ତାଙ୍କର ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବା ପ୍ରକାଶିତ ହେବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଓ ରାଷ୍ଟ୍ରକୁ ପ୍ରତିନିଧିତ୍ବ କରୁଥିବା ରାଷ୍ଟ୍ରଦୂତ, କୂଟନୈତିକ ଅଧିକାରୀମାନେ ମତବ୍ୟକ୍ତ କରିବାର ଅବସର ପାଇବେ ।
24ରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ବ୍ରାଜିଲ ପ୍ରାୟତଃ ପ୍ରଥମ ବକ୍ତା ଭାବେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିପାରେ । ଏହାପରେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସମ୍ବୋଧନ କରିବେ । ତେବେ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଅଂଶଗ୍ରହଣ କରିବେ । ଆମେରିକାରେ ନିର୍ବାଚନ ନିକଟତର ଥିବାବେଳେ ଜାତିସଂଘ ପୋଡିୟମରେ ଚଳିତ କାର୍ଯ୍ୟକାଳର ଶେଷ ସମ୍ବୋଧନ ରଖିବେ ବାଇଡେନ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ନିର୍ବାଚନରେ ବହୁମତ ହାସଲ କରି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଜାତିସଂଘକୁ ସମ୍ବୋଧିତ କରିବେ ।