ମୁମ୍ବାଇ: ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର । ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତାଙ୍କୁ ଆଣିବାକୁ ଯାଉଥିବା ବେଳେ ଲ୍ୟାଣ୍ଡ୍ ସମୟରେ ହେଲିକପ୍ଟରଟି କ୍ରାସ ହୋଇଯାଇଥିଲା । ଦୁର୍ଘଟଣାରେ ପାଇଲଟ ଆହତ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଯୋଗୁଁ ଶିବସେନା (U)ର ପ୍ରଚାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ହେଲିକପ୍ଟରର ରୋରଟ ବ୍ଲେଡ କ୍ଷତିଗ୍ରସ୍ତ ହୋଇଥିବାରୁ ଘଟିଛି ଦୁର୍ଘଟଣା ।
ଏହା ବି ପଢନ୍ତୁ- ଜୈସଲମେରରେ ବଡ ଦୁର୍ଘଟଣା, ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ
ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସୁଶମା ଅନ୍ଧାରେ ଲୋକସଭା ନିର୍ବାଚନ ଲାଗି ବାରମତି ଠାରେ ଏକ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତାଙ୍କୁ ଆଣିବା ଲାଗି ପ୍ରାଇଭେଟ ଚପର୍ ରାୟଗଡ଼ ଜିଲ୍ଲାର ହେଲିପ୍ୟାଡରେ ପହଞ୍ଚିଥିଲା । ହେଲେ ଅବତରଣ କରିବା ପୂର୍ବରୁ ହିଁ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ପ୍ରାୟ ସକାଳ 9ଟା 30 ସମୟରେ ଘଟିଛି । ପାଇଲଟ ହେଲିକପ୍ଟରକୁ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହା ଗୋଟିଏ ଦିଗକୁ ଢଳି ଯାଇଥିଲା । ପ୍ରାଥମିକ ସୂଚନା ଅନୁସାରେ ପାଇଲଟଙ୍କୁ ଆଘାତ ଲାଗିଥିବା ବେଳେ ହେଲିକପ୍ଟରର ରୋଟର ବ୍ଲେଡ କ୍ଷତିଗ୍ରସ୍ତ ହୋଇଛି ।