ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି(ଶୁକ୍ରବାର)ଠାରୁ ସଂସଦ ବଜେଟ୍ ଅଧିବେଶନ । ମିଳିତ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ସହ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ପରେ 2024-25 ଆର୍ଥିକବର୍ଷର ‘ଇକୋନୋମିକ ସର୍ଭେ ରିପୋର୍ଟ’ ବା ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେବାକୁ ଥିବା ବେଳେ ଶନିବାର ଫେବୃଆରୀ ୧ରେ ଆର୍ଥିକ ବର୍ଷ 2025-26 ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
- ମିଳିତ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ଚଳିତ ନୂତନ ବର୍ଷର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ଜଏଣ୍ଟ ସିଟିଂକୁ ସମ୍ବୋଧିତ କରୁଛନ୍ତି । ଏହା ପରେ ବାଚସ୍ପତି ଲୋକସଭାର ପରିଚାଳନା ଭାର ଗ୍ରହଣ କରି ଗୃହକାର୍ଯ୍ୟ ଆଗକୁ ବଢାଇବେ । ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବରୁ ଗୃହ କାର୍ଯ୍ୟ ଆରମ୍ଭ ହେବ ।
- ବସିଲା ସର୍ବଦଳୀୟ ବୈଠକ
ଅଧିବେଶନ ପୂର୍ବରୁ ସଂସଦୀୟ ପରମ୍ପରା ଅନୁସାରେ, ସର୍ବଦଳୀୟ ବୈଠକ ବସିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ସରକାର ଶୃଙ୍ଖଳିତ ଗୃହକାର୍ଯ୍ୟ ଓ ଫଳପ୍ରଦ ବିତର୍କ ପାଇଁ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ପର୍ଯ୍ୟାପ୍ତ ସମୟ ଦେବା ପାଇଁ ବିରୋଧୀ ଦଳମାନେ ଦାବି କରିଛନ୍ତି ।
- ଏଥର ଆଗତ ହେବ 16 ବିଲ୍
ସଂସଦ ସଚିବାଳୟର ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ସୀତାରମଣ ଆଜି ପୂର୍ବାହ୍ନ 12ଟାରେ ଲୋକସଭାରେ ଏହି ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ କରିବେ । ମଧ୍ୟାହ୍ନ ବିରତି ପରେ ଅପରାହ୍ନ 2ଟାରେ ଏହି ରିପୋର୍ଟ ଉଚ୍ଚସଦନ ରାଜ୍ୟସଭାରେ ଉପସ୍ଥାପିତ କରାଯିବ । ଏହି ବାର୍ଷିକ ଆର୍ଥିକ ରିପୋର୍ଟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅର୍ଥନୀତି ବ୍ୟାପାର ବିଭାଗ ଦ୍ବାରା ପ୍ରସ୍ତୁତ ହୋଇଛି ।
- ସର୍ବଦଳୀୟ ବୈଠକରେ ଏକାଠି ହେଲେ 36 ରାଜନୈତିକ ଦଳ
ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ 36 ରାଜନୈତିକ ଦଳର 52 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅଧିବେଶନରେ ମୋଟ 27ଟି ସିଟିଂ ରହିବ । ପ୍ରଥମ ଭାଗରେ 9 ଟି ଓ ଦ୍ବିତୀୟ ଭାଗରେ 18ଟି ଶେସନ ସ୍ଥିରିକୃତ ହୋଇଛି ।