ଲକ୍ଷ୍ନୌ:କଂଗ୍ରେସର ବରିଷ୍ଠ ନେତା ତଥା ଆଧ୍ୟାତ୍ମକ ଗୁରୁ ପ୍ରମୋଦ କ୍ରିଷ୍ଣମଙ୍କୁ ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନହୀନ ମନ୍ତବ୍ୟ କାରଣରୁ ବହିଷ୍କୃତ କରାଯାଇଛି । ତାଙ୍କୁ ଦଳରୁ 6 ବର୍ଷ ପାଇଁ ବହିଷ୍କାର କରିଛନ୍ତି ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ । ଉତ୍ତର ପ୍ରଦେଶ କଂଗ୍ରେସ କମିଟି ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସୁପାରିଶ ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ପଠାଇଥିଲା । ଏହାକୁ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଅନୁମୋଦନ କରିଥିବା ଦଳର ବରିଷ୍ଠ ନେତା ତଥା ଜାତୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ କହିଛନ୍ତି ।
ଉତ୍ତର ପ୍ରଦେଶ କଂଗ୍ରେସର ଏହି ବିରିଷ୍ଠ ରାଜନେତା ଜଣେ ସନ୍ଥ ହୋଇଥିବା କାରଣରୁ ରାମ ମନ୍ଦିର ଓ ଅନ୍ୟାନ୍ୟ ହିନ୍ଦୁତ୍ବ ପ୍ରସଙ୍ଗରେ ପାର୍ଟିଲାଇନରୁ ବାହାରେ ନଜର ଆସିବା ସହ ବିଜେପି ସପକ୍ଷରେ ମତ ଦେଇଥିବା ଦେଖିବାକୁ ମିଳିଥାଏ । ନିକଟରେ ଶେଷ ହୋଇଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ କଂଗ୍ରେସ ବର୍ଜନ କରିଥିଲେ ସୁଦ୍ଧା ଆଚାର୍ଯ୍ୟ ପ୍ରମୋଦ ଏହି କାର୍ଯ୍ୟକ୍ରମର ନିମନ୍ତ୍ରଣ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହ ବିଭିନ୍ନ ପ୍ରସଙ୍ଗରେ ସେ କଂଗ୍ରେସ ପାର୍ଟି ହ୍ବିପରୁ ମଧ୍ୟ ବାହାରିଯାଇ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିିଳିଥାଏ । ନିକଟରେ ସେ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ ।