ଓଡିଶା

odisha

ETV Bharat / bharat

ହରିୟାଣାରେ ସେକେଣ୍ଡ ଇନିଂସ ଖେଳିବେ ନାଏବ ସିଂ ସୈନୀ, କାଲି ନେବେ ଶପଥ

ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନାଏବ ସିଂ ସୈନୀ । ବିଜେପିର ହ୍ୟାଟ୍ରିକ, ସୈନୀଙ୍କ ସେକେଣ୍ଡ ଇନିଂସ୍‌ । ଅନିଲ ବିଜଙ୍କ ସହ ଚାଲିଥିଲା ଛକାପଞ୍ଝା ।

By ETV Bharat Odisha Team

Published : 5 hours ago

ହରିୟାଣା ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନାଏବ ସିଂ ସୈନୀ, ପୁଣି ହେଲେ ବିଧାୟକ ଦଳ ନେତା
ହରିୟାଣା ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନାଏବ ସିଂ ସୈନୀ, ପୁଣି ହେଲେ ବିଧାୟକ ଦଳ ନେତା (ETV Bharat Odisha)

ଚଣ୍ଡିଗଡ:ହରିୟାଣା ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନାଏବ ସିଂ ସୈନୀ । ଆଜି ସୈନୀଙ୍କୁ ନବନିର୍ବାଚିତ ବିଧାୟକ ଦଳ ବୈଠକରେ ପୁଣି ନେତା ଭାବେ ନିର୍ବାଚିତ କରାଯାଇଛି । 8 ତାରିଖରୁ ଫଳାଫଳ ଆସି ସାରିଥିବା ବେଳେ ବହୁମତ ହାସଲ କରିଥିବା ବିଜେପି କ୍ୟାମ୍ପ ମୁଖ୍ୟମନ୍ତ୍ରୀ ଚୌକି ନେଇ ନୀରବ ରହିଥିଲା । ଆଜି ପୁଣି ଥରେ ସୈନୀଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରି ଦଳ ନୀରବତାରେ ପୂର୍ଣ୍ଣଚ୍ଛେଦ ପକାଇଛି ।

  • କାଲି ଶପଥ ସମାରୋହ:-

ଆସନ୍ତାକାଲି (ଗୁରୁବାର) ସୈନୀ ସରକାରର ଦ୍ବିତୀୟ ପାଳିର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିପାରନ୍ତି । ସୈନୀଙ୍କ ସହ ଆଉ କେତେଜଣ ମନ୍ତ୍ରୀ ଶପଥ ନେବେ, ତାହା ଆଜି ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇପାରେ । ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ସୈନୀ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ନେତା ମନୋହର ଲାଲ ଖଟ୍ଟରଙ୍କ ସ୍ଥାନ ନେଇଥିଲେ । ଚଳିତଥର ‘ଏକଜିଟ ପୋଲ’ ପୂର୍ବାକଳନକୁ ମାତ ଦେଇ ବିଜେପି ହରିୟାଣାରେ ହ୍ୟାଟ୍ରିକ୍‌ ମାରିଛି ।

ଏହା ମଧ୍ୟ ପଢନ୍ତୁ :- ଘାଟିରେ ପୁଣି ଅବଦୁଲ୍ଲା ପରିବାରକୁ ଫେରିଲା କ୍ଷମତା, ମୁଖ୍ୟମନ୍ତ୍ରୀ ଶପଥ ନେଲେ ଓମାର

  • ପ୍ରଥମ ପ୍ରତିକ୍ରିୟାରେ କ’ଣ କହିଲେ ସୈନୀ

ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ସୈନୀଙ୍କର ପ୍ରଥମ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସୈନୀ କହିଛନ୍ତି, ହରିୟାଣାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିରେ ବିଶ୍ୱାସ ରଖିଛନ୍ତି ଏବଂ ତୃତୀୟ ଥର ପାଇଁ ବିଜେପି ସରକାର ଗଠନ କରିଛନ୍ତି । ବିଜେପି ପ୍ରତି ଏ ସମର୍ଥନ ଲୋକମାନଙ୍କ ନିଷ୍ପତ୍ତି । 2047 ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନକୁ ଆଗରେ ରଖି ହରିୟାଣା ସରକାର କାମ କରିବ ।

  • ବାଟ ଓଗାଳି ଥିଲା ଅନିଲ ବିଜଙ୍କ ଦାବିଦାରୀ !

ଦଳ ରାଜ୍ୟରେ ତୃତୀୟ ଥର କ୍ଷମତା ହାସଲ କରିବା ପରେ ଦଳର ଅନ୍ୟତମ ବରିଷ୍ଠ ନେତା ଅନିଲ ବିଜଙ୍କ ମୁଖ୍ୟମନ୍ତ୍ରୀ ପଦ ଦାବିଦାରୀ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା । ଅନିଲ, ମନୋହର ଲାଲ ଖଟ୍ଟରଙ୍କ ପରେ ଦଳରେ ଦ୍ବିତୀୟ ବରିଷ୍ଠ ନେତା ଭାବେ ପରିଚିତ । ସେ ମନୋହର ଲାଲ ଖଟ୍ଟର ସରକାରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଗୃହମନ୍ତ୍ରୀ ହୋଇଥିଲେ । ସେ ଏଥର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ ଥିବା ଚର୍ଚ୍ଚା ହୋଇଥିଲା । ସୈନୀ ଓ ଅନିଲଙ୍କ ମଧ୍ୟରେ ଦଳ କାହାକୁ ବାଛିବ, ସେଥିପାଇଁ ବୋଧହୁଏ ମୁଖ୍ୟମନ୍ତ୍ରୀ ଘୋଷଣା ବଳମ୍ବ ହେଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- ହରିୟାଣା ସରକାରଙ୍କ ଶପଥ ଉତ୍ସବରେ ଯୋଗଦେବେ ମୋହନ ମାଝୀ, ୩ ଦିନ ରାଜ୍ୟ ବାହାରେ ରହିବେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ହରିୟାଣାରେ ସାଇନିଂ କଲେ ସିଏମ ସୈନୀ, ପୁଣି ହତାଶ ହାତ

ଏହା ବି ପଢନ୍ତୁ- ହରିୟାଣାରେ ପୁଣି ବିଜେପି ସରକାର, ଜମ୍ମୁ-କାଶ୍ମୀରରେ କମାଲ କଲା ଏନସି-କଂଗ୍ରେସ ମେଣ୍ଟ

  • ବିଜେପିର ହ୍ୟାଟ୍ରିକ, ସୈନୀଙ୍କ ସେକେଣ୍ଡ ଇନିଂସ୍‌

ହରିୟାଣାରେ ବିଜେପି ଏଥର ହ୍ୟାଟ୍ରିକ୍‌ କ୍ଷମତା ହାସଲ କରିଛି । ୯୦ ବିଧାନସଭା ଆସନରୁ ସରକାର ଗଠନ କରିବା ପାଇଁ ୪୫ ଆସନ ଆବଶ୍ୟକ ଥିବା ବେଳେ ବିଜେପି ଖାତାରେ ୪୮ ଆସନ ପଡିଛି । ପୂର୍ବ ନିର୍ବାଚନଠାରୁ ବିଜେପି ଏଥର ବେଶ ଭଲ ପ୍ରଦର୍ଶନ କରି ଏକକ ବହୁମତ ହାସଲ କରିଛି । ଏକାଧିକ ସଂସ୍ଥାର ଏକଜିଟ ପୋଲ ଭିନ୍ନ ସଙ୍କେତ ଦେଇଥିଲା । ଦଶନ୍ଧି ଧରି କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ‘ଆଣ୍ଟି-ଇନକମ୍ବେନ୍ସି’ର ସାମ୍ନା କରିପାରେ ଓ କଂଗ୍ରେସ ହାତକୁ କ୍ଷମତା ଯାଇପାରେ ବୋଲି ପ୍ରାୟ ସମସ୍ତ ଗଣମାଧ୍ୟମ ଓ ପୋଲ-ଓ୍ବାଚ ସଂସ୍ଥା ନିଜ ବୁଥବାହୁଡା ଜନମତରେ ଦର୍ଶାଇଥିଲେ । ମାତ୍ର ସମସ୍ତ ଆକଳନକୁ ବିଜେପି ଭୁଲ ପ୍ରମାଣିତ କରି କ୍ଷମତା ହାସଲ କରିଥିଲା । ଆସନ୍ତାକାଲି ବିଜେପିର ତୃତୀୟ ପାଳି ଶାସନ ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details