ରାୟପୁର: ସୁରକ୍ଷାବଳର ଏନକାଉଣ୍ଟରରୁ ବର୍ତ୍ତିବା ପାଇଁ ଲାଲବାହିନୀ ମଧ୍ୟ ବ୍ୟବହାର କରୁଛି ବୁଲେଟ ପ୍ରୁଫ ଜ୍ୟାକେଟ । ହାତ ତିଆରି ଦେଶୀ ବୁଲେଟ ନିରୋଧୀ ଜ୍ୟାକେଟ ମଧ୍ୟ ସେମାନଙ୍କ କ୍ୟାମ୍ପରେ ମହଜୁଦ ରହିଛି । ଆଜି (ଶନିବାର) ଛତିଶଗଡ କାଙ୍କେର ଜିଲ୍ଲାର କୋୟାଲିବେରା ନିକଟବର୍ତ୍ତୀ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସାମ୍ନାକୁ ଆସିଥିବା ଏହି ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାଙ୍କେର ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ପରେ ସୁରକ୍ଷାବଳର ଟିମ ଜଣେ ନକ୍ସଲର ମୃତଦେହ ସହ ବହୁମାତ୍ରାରେ ବିସ୍ଫୋରକ ଓ ଅନ୍ୟାନ୍ୟ ମାଓସାମଗ୍ରୀ ମଧ୍ୟ ଜବତ କରିଛି । ଏଥିମଧ୍ୟରେ ଏକ ଗୁଳିବିଦ୍ଧ ବୁଲେଟ ନିରୋଧୀ ଜ୍ୟାକେଟ ମଧ୍ୟ ଉଦ୍ଧାର କରାଯାଇଛି । ନକ୍ସଲମାନେ ଏହି ପ୍ରକାରର ବିଶେଷ ପୋଷାକକୁ ଦେଶୀ ବୁଲେଟ ପ୍ରୁଫ୍ ଜ୍ୟାକେଟ ଭାବରେ ବ୍ୟବହାର କରୁଥିବା ପୋଲିସ ସନ୍ଦେହ କରୁଛି ।
ସ୍ଥାନୀୟ ଏସ୍ପି ଆଜିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, "ନକ୍ସଲଙ୍କ ଗତିବିଧି ସମ୍ପର୍କରେ ସୂଚନା ମିଳିବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ରୀୟ ବଳର ଯବାନଙ୍କ ସହ ସ୍ଥାନୀୟ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଥିଲେ । ସର୍ଚ୍ଚ ଓ କୁମ୍ବିଂ ଅପରେସନ ସମୟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଗୁଳି ଚଲାଇଥିଲେ । ଉଭୟ ପକ୍ଷରୁ କିଛି ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା । ଜଣେ ନକ୍ସଲର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟାନ୍ୟ ମାଓସାମଗ୍ରୀ ମଧ୍ୟ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ଏକ ଏକାଧିକ ଗୁଳିବିଦ୍ଧ ବୁଲେଟ ନିରୋଧୀ ଜ୍ୟାକେଟ ପରି ପୋଷାକ ମଧ୍ୟ ରହିଛି । ନିହତ ନକ୍ସଲ ନାମରେ ପୂର୍ବରୁ 8ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ।"