ବେଙ୍ଗାଲୁରୁ:ସାତ ଜନ୍ମର ସାଥି ହେବା ପାଇଁ ହୋଇଥିଲା ନିଷ୍ପତ୍ତି । ପ୍ରଥମେ ନିର୍ବନ୍ଧ ପରେ ବିବାହ ପାଇଁ ଯୋଜନା କରିଥିଲା ଯୁବକ । ହେଲେ କୌଣସି କାରଣରୁ ଭାଙ୍ଗିଗଲା ନିର୍ବନ୍ଧ । ଆଉ ଏହାକୁ ସେ ସହ୍ୟ କରିପାରିଲାନି । ରାଗ ଜର୍ଜରିତ ହୋଇ ଭିଆଇଲା ବର୍ବର କାଣ୍ଡ । ଏକ ନିଛାଟିଆ ସ୍ଥାନକୁ ନେଇ ନାବାଳିକାର ମୁଣ୍ଡ କାଟିଦେଲା ଯୁବକ । ମୁଣ୍ଡକୁ ଗଣ୍ଡିରୁ ଅଲଗା କରିବା ପରେ ମୁଣ୍ଡକୁ ସାଙ୍ଗରେ ନେଇ ଫେରାର ହୋଇଗଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
କର୍ଣ୍ଣାଟକର କୋଡାଗୁ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ହୃଦୟ ବିଦାରକ ଘଟଣା । 16 ବର୍ଷୀୟା ନାବାଳିକା ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି । ଗୁରୁବାର ଦିନ ସୋମୱାରପେଟର ସୁରଲାବି ଗ୍ରାମରେ ଏହି ଘଟଣା ଘଟିଛି । କୁହାଯାଉଛି କି, ହତ୍ୟା କରିଥିବା ଅଭିଯୁକ୍ତ ସହିତ ନାବାଳିକାର ନିର୍ବନ୍ଧ ହେବାର ଥିଲା । କିନ୍ତୁ ନିର୍ବନ୍ଧ ଭାଙ୍ଗିଯିବା କାରଣରୁ ଯୁବକ ଜଣକ ରାଗିଯାଇ ଗତକାଲି ସନ୍ଧ୍ୟାରେ ନାବାଳିକାକୁ ଘରୁ ଉଠାଇ ନେଇଯାଇଥିଲା । ପରେ ଏକ ନିଛାଟିଆ ସ୍ଥାନରେ ନାବାଳିକାର ମୁଣ୍ଡ କାଟି ହତ୍ୟା କରିଥିଲା । ମୃତକଙ୍କ ନାମ ମୀନା ଏବଂ ଅଭିଯୁକ୍ତ ଯୁବକର ନାମ ଓନକାରପ୍ପା ବୋଲି ଜଣାପଡିଛି ।