ପାଟନା:ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ । ଆଖି ପିଛୁଳାକେ ଚାଲିଗଲା 9 ଜୀବନ । ମଙ୍ଗଳବାର ରାତିରେ ବିହାର ଲଖିସରାଇ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଥିରେ 8 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଅନ୍ୟ ଆହତମାନଙ୍କୁ ନିକଟସ୍ଥ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ସମସ୍ତେ ମୁଙ୍ଗେର ଓ ଲଖିସରାଇ ଅଞ୍ଚଳର ହୋଇଥିବା ଜଣାପଡିଛି । ଖବର ପାଇ ଜିଲ୍ଲାର ଏସପି ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି ।
ସୂଚନା ଅନୁସାରେ, ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ବିହାରର ଲଖିସରାଇ ଜିଲ୍ଲା ରାମଗଡ଼ ଥାନା ଛକ ଅନ୍ତର୍ଗତ ଝୁଲୌନା ଗ୍ରାମ ଲଖିସରାୟ-ସିକନ୍ଦର 30 ନମ୍ବର ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ସମୟରେ ଅଟୋ ମଧ୍ୟରେ 14 ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ 8 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଥିଲେ । ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ରାମଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଦୁର୍ଘଟଣାରେ ଫରେଷ୍ଟର ମୃତ