ନୂଆଦିଲ୍ଲୀ: ଏଣିକି ଲୋକସଭା ନିର୍ବାଚନରେ ପ୍ରତି ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀ ଭାବେ ଛିଡା ହେବାକୁ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣି ପାରିବେ ମତଦାତା । ଅପରାଧିକ ରୋକର୍ଡ, ସମ୍ପତ୍ତି ଓ ଋଣ ବିଷୟରେ ସମସ୍ତ ତଥ୍ୟ ଦେବେ ପ୍ରାର୍ଥୀ । 'ନୋ ଇଓର କ୍ୟାଣ୍ଡିଡେଟ' (KYC) ଆପରେ ଏହି ସମସ୍ତ ତଥ୍ୟ ଉପଲବ୍ଧ କରାଯିବ । ଏହି ନୂଆ ମୋବାଇଲ ଆପକୁ ଲଞ୍ଚ କରାଯାଇଥିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।
Know Your Candidate ଆପରେ ଉପଲବ୍ଧ ହେବ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ:ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ''ପୋଲ୍ ୱାଚଡଗ୍ Know Your Candidate ନାମକ ଏକ ନୂତନ ମୋବାଇଲ୍ ଆପ ଲଞ୍ଚ କରିଛି । ଯାହା ଦ୍ବାରା ମତଦାତା ମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବାକୁ ଥିବା ବ୍ୟକ୍ତିଙ୍କ ନାମରେ କୌଣସି ଅପରାଧିକ ମାମଲା ଅଛି ନା ନାହିଁ ତାହା ଜାଣିବାରେ ସକ୍ଷମ ହେବେ । ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଡାଉନଲୋଡ୍ ପାଇଁ ଏହି ଆପ ଉପଲବ୍ଧ କରାଯାଇଛି । ଭୋଟରମାନେ ସେମାନଙ୍କ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ, ତଥା ସେମାନଙ୍କ ସମ୍ପତ୍ତି ଏବଂ ଋଣ ବିଷୟରେ ଜାଣିବାର ଅଧିକାର ଅଛି । ତେଣୁ ଏହି ଆପ ଲଞ୍ଚ କରାଯାଇଛି । ''
ଏହା ମଧ୍ୟ ପଢନ୍ତୁ-2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ: 19 ଏପ୍ରିଲରୁ 7 ପର୍ଯ୍ୟାୟରେ ଭୋଟ୍, ଜୁନ 4ରେ ରେଜଲ୍ଟ
ଅପରାଧିକ ରେକର୍ଡ ଥାଇ ପ୍ରାର୍ଥୀ ଦେଲେ କାରଣ ଜଣାଇବ ଦଳ: ଯଦି କୌଣସି ବ୍ୟକ୍ତିଙ୍କ ଅପରାଧିକ ରେକର୍ଡ ଥାଇ ଦଳ ପ୍ରାର୍ଥୀ କରାଏ ତେବେ ଏହି ନିଷ୍ପତ୍ତି ପଛରେ ଥିବା କାରଣ ମଧ୍ୟ ଦଳକୁ ଦେବାକୁ ପଡିବ । ଅପରାଧିକ ରେକର୍ଡ ଥିବା ପ୍ରାର୍ଥୀମାନେ ଟିଭି ଓ ଖବରକାଗଜରେ ତିନିଥର ଏହି ସୂଚନା ପ୍ରକାଶ କରିବା କିମ୍ବା ସାର୍ବଜନୀନ କରିବା ଆବଶ୍ୟକ । ଏପରି ପ୍ରାର୍ଥୀଙ୍କୁ ଟିକେଟ୍ ଦେଉଥିବା ଦଳ ସେମାନଙ୍କୁ ଅନ୍ୟ ମାନଙ୍କ ଠାରୁ ଅଧିକ ଯୋଗ୍ୟ, ଦାବିଦାର କାହିଁକି ବାଛିଛନ୍ତି ତାହା ବ୍ୟାଖ୍ୟା କରିବାକୁ ପଡିବ । ଅପରାଧିକ ମାମଲା ଥିବା ପ୍ରାର୍ଥୀ ଚୟନର ଆଧାର ଦଳ ଗୁଡିକୁ ସ୍ପଷ୍ଟ ଭାବରେ ଦର୍ଶାଇବାକୁ ପଡିବ । KYC ଆପ୍ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍ରେ ଉପଲବ୍ଧ । ନିର୍ବାଚନ ଆୟୋଗ ଆପ୍ ଡାଉନଲୋଡ୍ କରିବାକୁ QR କୋଡ୍ ମଧ୍ୟ ନିଜ ୱେବସାଇଟରେ ପୋଷ୍ଟ କରିଛି ।
ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହି ନୂତନ ଆପ ଲଞ୍ଚ କରାଯାଇଛି । ଶନିବାର ଦେଶରେ ଲୋକସଭା ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଦେଶରେ ମୋଟ ମୋଟ 7ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । 19 ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବା ବେଳେ ଜୁନ 1 ତାରିଖରେ ଅନ୍ତିମ ପର୍ଯ୍ୟାୟର ଭୋଟିଂ ହେବ । 4 ତାରିଖରେ ଫଳାଫଳ ପ୍ରକାଶିତ ହେବ ।