ନୂଆଦିଲ୍ଲୀ:ଆଜି ତୃତୀୟ ପର୍ଯ୍ୟାୟରେ 11ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେଲା ଭୋଟିଂ । ମକଡ୍ରିଲ ଶେଷ ହେବା ପରେ ସକାଳ 7ଟାରୁ ସାଧାରଣ ଭୋଟିଂ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟ ଦେଇଛନ୍ତି । ଉଭୟ ଅହମ୍ମଦାବାଦ ସ୍ଥିତ ନିଶାନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଶାହ ପହଞ୍ଚି ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଡା ସୁରକ୍ଷା ମଧ୍ୟରେ ମତଦାନ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ବହୁ ହେବିଓ୍ବେଟ ପ୍ରାର୍ଥୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ମଧ୍ୟ ଭୋଟିଂ ପାଇଁ ସେମାନଙ୍କ ବୁଥରେ ପହଞ୍ଚିଥିବାର ଦୃଶ୍ୟ ଗଣମାଧ୍ୟମରେ ଆସିବାରେ ଲାଗିଛି ।
କର୍ଣ୍ଣାଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟାଦ୍ଦିରୁପ୍ପା ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଜ୍ୟରେ ଚଳିତଥର ଭାରତୀୟ ଜନତା ପାର୍ଟି 28ରୁ ପ୍ରାୟ 25 ଆସନ ଜିତିବାକୁ ଯାଉଥିବା ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତଥର ସାଂସଦ ପ୍ରାର୍ଥୀ ଶିବରାଜ ସିଂ ଚୌହାନ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି । ଘରେ ପୁଜାପାଠ କରିବା ପରେ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଥିବା ଶିବରାଜ ବହୁସଂଖ୍ୟାରେ ଲୋକଙ୍କୁ ଭୋଟ ଦେବା ପାଇଁ ଗଣମାଧ୍ୟମରେ ମଧ୍ୟ ଅନୁରୋଧ କରିଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ମଧ୍ୟ ଭୋଟ ଦେଇଛନ୍ତି ।