ହାଇଦ୍ରାବାଦ: ରାତି ପାହିଲେ ଜନାଦେଶ 2024 । ଚଳଚଞ୍ଚଳ ରାଜନୈତିକ ବାତାବରଣ । ଲୋକସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର । ଗୋଟିଏ ପଟେ ମତଦାତାଙ୍କ ମଧ୍ୟରେ ଉତ୍କଣ୍ଠା ଆଉ ଗୋଟେ ପଟେ ଧଡ଼ଧଡ଼ ନେତାଙ୍କ ଛାତି । କିଏ 5ବର୍ଷ ପାଇଁ ଶାସନ ଗାଦି ସମ୍ଭାଳିବ ତ ଆଉ କାହା ହାତରୁ ଖସିଯିବ କ୍ଷମତା । କିଏ ଇତିହାସ ରଚିବ ତ ଆଉ କିଏ ପାଲଟିଯିବ ଇତିହାସ । ଆସନ୍ତା 24 ଘଣ୍ଟା ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ । ଆସନ୍ତାକାଲି ଜୁନ 4 ତାରିଖ ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତି ଥର ପରି ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ ଭୋଟ ଗୁଡ଼ିକର ଗଣତି ହେବ । ସମୟ ବଢିବା ସହିତ ସ୍ପଷ୍ଟ ହୋଇ ଚାଲିବ ପ୍ରାର୍ଥୀମାନଙ୍କ ଭବିଷ୍ୟତ ।
ଦେଶରେ ଲୋକସଭା ନିର୍ବାଚନ ଫଳାଫଳ ସାଙ୍ଗକୁ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏପ୍ରିଲ 19 ତାରିଖ ଠାରୁ ଜୁନ 1 ତାରିଖ ପର୍ଯ୍ୟନ୍ତ 7ଟି ପର୍ଯ୍ୟାୟରେ ଲୋକସଭାର ମୋଟ 543ଟି ଆସନରୁ 542ଟିରେ ପଡ଼ିଥିଲା ଭୋଟ୍ । ଗୁଜୁରାଟ ସୁରଟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିବାରୁ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କ ସୂଚନା ଅନୁସାରେ ଲୋକସଭା ନିର୍ବାଚନ ମତଦାନରେ ମୋଟ 31.2 କୋଟି ମହିଳାଙ୍କ ସମେତ 64.2 କୋଟି ମତଦାତା ସାମିଲ ହୋଇଥିଲେ । ଫଳରେ ଭାରତର ମତଦାନ ବିଶ୍ବ ରେକର୍ଡ ସୃଷ୍ଟି କରିଛି ।
ଚଳଚଞ୍ଚଳ ରାଜନୈତିକ ବାତାବରଣ:-ରାତି ପାହିଲେ ଭୋଟ ଗଣତିକୁ ନେଇ ରାଜନୈତିକ ବାତାବରଣ ଚଳଚଞ୍ଚଳ ହୋଇଉଠିଛି । ସମସ୍ତ ରାଜନୈତିକ ଦଳ ମତଦାନକୁ ନେଇ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ବିଜେପି ଓ ଅନ୍ୟ ଦଳଗୁଡ଼ିକ ଭୋଟ ଗଣତି ଓ ଏହାର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ବାଧୀନ NDAକୁ ବହୁମତ ମିଳିପାରେ । ଏଣୁ ବିଜେପି ଶିବିରରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି । ଦଳୀୟ କର୍ମୀ ବିଜୟ ଆଶାରେ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି । ସେପଟେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ରେ ସାମିଲ ଥିବା ରାଜନୈତିକ ଦଳ ଗୁଡ଼ିକ 295 ଆସନ ଜିତିବା ଆଶାରେ ପ୍ରସ୍ତୁତି ଚଳାଇଛନ୍ତି । ମିଠା, ବାଜା, ବାଣ ପ୍ରସ୍ତୁତ ଅଛି । ଭୋଟ ଗଣତି ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ମିଷ୍ଟାନ୍ନ ଭଣ୍ଡାରରେ ମିଠା ପ୍ରସ୍ତୁତ ଚାଲିଛି । ସେଲିବ୍ରେସନ ପାଇଁ ଉଭୟ ଶାସକ ଓ ବିରୋଧୀ ତମାମ ପ୍ରସ୍ତୁତି କରିଛନ୍ତି ।