ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ଗତକାଲି ଅନସାରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଜେଲରେ ତାଙ୍କୁ ହୃଦଘାତ ଆସିବା ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଅନେକ ରାଜନେତା ଏବଂ ତାଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏହାରି ମଧ୍ୟରେ ଅନସାରୀଙ୍କ ଏକ ପୂର୍ବ ଲେଟର/ଚିଠି ଭାଇରାଲ ହେଉଛି, ଯାହାକୁ ତାଙ୍କର ଓକିଲ କିଛି ଦିନ ତଳେ କୋର୍ଟରେ ଦାଖଲ କରିଥିଲେ । ଏହି ଲେଟରରେ ଅନସାରୀଙ୍କୁ ଜେଲ ଭିତରେ ବିଷ ଦିଆଯାଉଥିବା ସେ ନିଜେ ଦାବି କରିଥିଲେ । ଏବେ ତାଙ୍କର ମୃତ୍ୟୁ ପରେ ଉକ୍ତ ଲେଟରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପୂର୍ବରୁ ଅନସାରୀଙ୍କ ବିରୋଧରେ କୌଣସି ମାମଲାରେ ବିଚାର ଚାଲୁଥିବା ବେଳେ ତାଙ୍କର ଓକିଲ ଏହି ଲେଟର କୋର୍ଟରେ ଦାଖଲ କରିଥିଲେ । ଏଥିରେ ଅନସାରୀ କୋର୍ଟଙ୍କୁ କହିଥିଲେ ଯେ, ଜେଲରେ ତାଙ୍କ ଖାଦ୍ୟରେ ବିଷ ମିଶାଯାଇ ତାଙ୍କୁ ହତ୍ୟା ଉଦ୍ୟମ କରାଯାଉଛି । ମାର୍ଚ୍ଚ ୧୯ରେ ବାନ୍ଦା ଜେଲରେ ତାଙ୍କ ଖାଦ୍ୟରେ ବିଷ ଦିଆଯାଇଥିଲା । ଯାହାକୁ ଖାଇ ସେ ଗୁରୁତର ଭାବରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ଜୀବନ ଚାଲିଗଲା ଭଳି ତାଙ୍କୁ ଅନୁଭବ ହେଉଥିଲା । ୪୦ ଦିନ ପୂର୍ବରୁ ତାଙ୍କ ଖାଦ୍ୟରେ ସ୍ଲୋ ପଏଜନ ବା ବିଷ ଦିଆଯାଇଥିଲା । ତେଣୁ ଜେଲରେ ଯେଉଁ କର୍ମଚାରୀ ତାଙ୍କୁ ଖାଦ୍ୟ ଦିଆଯିବା ପୂର୍ବରୁ ଏହାକୁ ଚାଖିଥିଲେ, ସେ ମଧ୍ୟ ଅସୁସ୍ଥ ହୋଇଯାଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଏହି ଆବେଦନ ପତ୍ର ବା ଲେଟର ଜରିଆରେ ତାଙ୍କର ଜୀବନ ପ୍ରତି ବିପଦ ଥିବା ଅନସାରୀ କୋର୍ଟଙ୍କୁ ଜଣାଇଥିଲେ ଏବଂ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ ।