ହାଇଦ୍ରାବାଦ: ନଭେମ୍ବର ୧୫(ଆସନ୍ତାକାଲି) କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷ ଦିନ । ପ୍ରଦୀପ ପ୍ରଜ୍ବଳନ କରି ଜଳାଶୟରେ ଦୀପଦାନ ( Deepa Dana) କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳି ମଧ୍ୟ ପାଳନ କରାଯାଏ । ସେହିପରି ଓଡ଼ିଶାରେ କାହିଁ କେଉଁ ଆବାହମାନ କାଳରୁ ନିଆରା ଢଙ୍ଗରେ ପାଳନ ହୁଏ କାର୍ତ୍ତିକ ପୂର୍ଣ୍ଣିମା । ଦୀପଦାନ ସହ ହୁଏ ଡଙ୍ଗା ଭସା । ପୂର୍ବରୁ ଜଳପଥ ଦେଇ ବିଦେଶକୁ ବେପାର ବଣିଜ କରିବାକୁ ଯାଉଥିବା ଓଡ଼ିଆ ବଣିକଙ୍କ ଉଦ୍ଦେଶ୍ୟରେ ଏହି ପର୍ବ ପାଳନ ହୋଇଆସୁଛି ।
'ଦୀପୋତ୍ସବ'ର ମହତ୍ତ୍ବ:
ପୌରାଣିକ କଥା ଅନୁସାରେ, ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ଜଣେ ରାକ୍ଷସକୁ ବଦ୍ଧ କରିଥିଲେ । ଯାହାକୁ ସ୍ମରଣ କରି ଦେବତାଗଣ ଗଙ୍ଗା ନଦୀକୂଳରେ ଦେବ ଦୀପାବଳି ପାଳନ କରୁଥିବା ନେଇ ବିଶ୍ବାସ ରହିଛି । ଏହାକୁ 'ଦୀପୋତ୍ସବ' ବୋଲି କୁହାଯାଇଥାଏ । ଯେଉଁଥିପାଇଁ ଦୀପଦାନର ମହତ୍ତ୍ବ ବଢ଼ିଯାଇଥାଏ । ଦୀପଦାନ କରିବାର ରହିଛି ଅନେକ ଫାଏଦା ।
Lamp Lighting Rituals (ETV Bharat Odisha) ଦୀପଦାନ ପଛରେ ବିଶ୍ବାସ:
୧. ପିତୃଦୋଷରୁ ମୁକ୍ତି ପାଇଁ ଦୀପଦାନ କରାଯାଏ
୨. ଦୀପଦନ ଦ୍ବାରା ଲକ୍ଷ୍ମୀମାତା ଓ ଭଗବାନ ପ୍ରସନ୍ନ ହୋଇଥାନ୍ତି
୩. ଯମ, ଶନି, ରାହୁ, କେତୁ ଆଦି ଗ୍ରହଙ୍କ କୁପ୍ରଭାବ ପଡିନଥାଏ
୪. ଦୀପଦନ ଦ୍ବାରା ମୋକ୍ଷ ପ୍ରାପ୍ତି ହୁଏ
୫. ଘରେ ଧନ ସମୃଦ୍ଧି ବୃଦ୍ଧି ପାଏ ବୋଲି ବିଶ୍ବାସ କରାଯାଏ
ଦୀପଦାନ କିପରି କରାଯାଏ ?
- ଯେକୌଣସି ମାଟି ତିଆରି ଦ୍ବୀପରେ ତେଲ ଓ ସଳିତା ଦିଆଯାଇ ମନସ୍କାମନା ପୂରଣ ପାଇଁ ପ୍ରଜ୍ବଳନ କରି ପ୍ରାର୍ଥନା କରିପାରିବେ । ହେଲେ ଏହାର ସଂଖ୍ୟା ନିୟମ ଅନୁସାରେ ଧାର୍ଯ୍ୟ ହୋଇଥାଏ ।
- ଅଟାରେ ଛୋଟ ଦ୍ବୀପ ଆକୃତି ତିଆରି କରି ସେ ମଧ୍ୟରେ ଘିଅ କିମ୍ବା ତେଲ ଦେଇ ସଳିତା ଜଳାଇ ନଦୀ କିମ୍ବା ଅନ୍ୟ ଜଳାଶୟରେ ଭସାଇ ପାରିବେ ।
- ସବୁଠୁ ବଡ଼ କଥା ହେଉଛି, ଦେବାଦେବୀଙ୍କ ମନ୍ଦିରରେ ଦୀପ ସିଧାସଳଖ ଭୂମିକୁ ସ୍ପର୍ଶ କରିବା ଅନୁଚିତ ବୋଲି କୁହାଯାଏ । ତେଣୁ ଏହାକୁ ଚାଉଳ ଉପରେ ରଖାଯାଏ ।
ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବାଲିଯାତ୍ରା ପରମ୍ପରା:
ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାରେ ସମସ୍ତେ ଭୋରରୁ ଉଠି ସ୍ନାନ କରି ଦୀପ, ଧୂପ, ପାନ ଗୁଆ ନେଇ ଛୋଟ ଛୋଟ ଡଙ୍ଗା ଉପରେ ରଖି ପୂଜର୍ଚ୍ଚନା କରି ଡଙ୍ଗା ଭସାଇଥାନ୍ତି । କଳିଙ୍ଗ ରାଜ୍ୟର ସାଧବ ପୁଅମାନେ ଅନ୍ୟ ରାଜ୍ୟ ଓ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେହି ସମୟରେ ବୋଟର ବ୍ୟବସ୍ଥା ନଥିଲା । ପବନ ଚାଳିତ ବୋଇତ ଦ୍ୱାରା ସାଧବ ପୁଅମାନେ ଜାଭା, ସୁମାତ୍ରା , ବାଲି , କାମ୍ବୋଡିଆ ଆଦି ଦେଶକୁ ବାଣିଜ୍ୟ କାରବାର କରିବା ପାଇଁ ଯାଉଥିଲେ । ସେଠାରେ ବାଣିଜ୍ୟ କରି ଫେରିବା ସମୟରେ ମହାନଦୀର ବାଲିରେ ଏକ ମେଳା ଆୟୋଜନ ହେଉଥିଲା। ସେହି ଐତିହ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ କଟକରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ବାଲିଯାତ୍ରା ।