ଗୌହାଟୀ:ବହୁଚର୍ଚ୍ଚିତ କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ବିରୁଦ୍ଧରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ ଅମିତ ଶାହ । ଆଜି ଆସାମର ଗୌହାଟୀରେ ଜେଡିଏସ ସାଂସଦ ପ୍ରଜ୍ଜଳ ରେବନ୍ନା ସାମିଲ ଥିବା ଏହି ସ୍କାଣ୍ଡାଲକୁ ଦୃଢ଼ ନିନ୍ଦା କରିଛନ୍ତି ଗୃହମନ୍ତ୍ରୀ । ବିଜେପି କଦାପି ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ସହ୍ୟ କରିବ ନାହିଁ । ଏହି ଶୋଷଣ ବିରୋଧ ମାମଲାରେ କର୍ଣ୍ଣାଟକରେ କଂଗ୍ରେସ ସରକାର କାହିଁକି ପ୍ରଜ୍ଜଳ ରେବନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହି ମାମଲାକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟ ଏନଡିଏ ଗଠବନ୍ଧନକୁ କଡା ସମାଲୋଚନା କରିବା ସହିତ ଆରଜେଡି ନେତା ତେଜସ୍ବୀ ପ୍ରସାଦ ଯାଦବ ଦୁଷ୍କର୍ମକାରୀମାନଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି । ଆପତ୍ତିଜନକ ଭିଡିଓ ଭାଇରାଲ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜଳ ରେବନ୍ନା ଏଥର ହାସନ ଲୋକସଭା ଆସନରୁ ବିଜେପି-ଜେଡିଏସ ମେଣ୍ଟ ସାଂସଦ ପ୍ରାର୍ଥୀ ଭାବେ ଲଢୁଥିଲେ । ଏହାରି ମଧ୍ୟରେ ପ୍ରଜ୍ଜଳ ରେବନ୍ନାଙ୍କୁ ଦଳରୁ ନିଷ୍କାସିତ କରିଛି ଜେଡିଏସ ।
ଏହା ମଧ୍ୟ ପଢନ୍ତୁ... ଆପତ୍ତିଜନକ ଭିଡିଓ ମାମଲା, ପ୍ରଜ୍ଜଳ ରେବନ୍ନା JDSରୁ ନିଲମ୍ବିତ - Prajwal Revanna
ଗୌହାଟୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ ଶାହ କହିଛନ୍ତି, "ମିଡିଆରେ ପ୍ରସାରିତ ହେଉଥିବା ଏହି ମାମଲା ଅତ୍ୟନ୍ତ କଷ୍ଟଦାୟକ ଓ ଏହାକୁ କୌଣସି ପ୍ରକାରେ ବରଦାସ୍ତ ମଧ୍ୟ କରାଯିବ ନାହିଁ । ବିଜେପିର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଆମେ ମାତୃ ଓ ନାରୀ ଶକ୍ତିର କୌଣସି ପ୍ରକାରର ଅପମାନକୁ ବରଦାସ୍ତ କରିବୁ ନାହିଁ ।" ତେବେ କଂଗ୍ରେସ ଏନଡିଏ ସହଯୋଗୀ ପ୍ରାର୍ଥୀଙ୍କ ସମ୍ପୃକ୍ତି ଅଭିଯୋଗ କରିଛି ମାତ୍ର ସେ ରାଜ୍ୟରେ (କର୍ଣ୍ଣାଟକ) କାହାର ସରକାର ଅଛି ବୋଲି ପ୍ରଶ୍ନ କରିଛନ୍ତି ଗୃହମନ୍ତ୍ରୀ । ଶାହ ଆହୁରି ମଧ୍ୟ କହିଛନ୍ତି, " କର୍ଣ୍ଣାଟକରେ କଂଗ୍ରେସ କ୍ଷମତାରେ ଅଛି ଏବଂ ଏହି ପ୍ରସଙ୍ଗ ନିଶ୍ଚିତ ଭାବରେ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏପର୍ଯ୍ୟନ୍ତ ଏହା ଉପରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଇନ ଶୃଙ୍ଖଳା ବ୍ୟବସ୍ଥା ଏକ ରାଜ୍ୟ କ୍ଷମତା ପ୍ରସଙ୍ଗ ହୋଇଥିବାରୁ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ନାହିଁ । "
ଅନ୍ୟପକ୍ଷେ ଆରଜେଡି ନେତା ତେଜସ୍ବୀ ପ୍ରସାଦ ଯାଦବ ଏହି ସେକ୍ସ ସ୍କାଣ୍ଡାଲକୁ ନେଇ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ବିଜେପି ଦୁଷ୍କର୍ମକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି ଓ ସେମାନଙ୍କୁ ଫେରାର ହେବାରେ ସାହାର୍ଯ୍ୟ କରୁଛି । ବିଜେପିର ଶୀର୍ଷ ନେତୃତ୍ବଙ୍କ ଉପରେ ବର୍ଷି ତେଜସ୍ବୀ କହିଛନ୍ତି ଯେ , " କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ଉପରେ ଅସ୍ବାଭାବିକ ନିରବତା ଅବଲମ୍ବନ କରୁଛନ୍ତି । କେନ୍ଦ୍ରର ବିଜେପି ସରକାର ଅଭିଯୁକ୍ତ (ପ୍ରଜ୍ଜଳ ରେବନ୍ନା)କୁ ଜର୍ମାନୀକୁ ଖସି ପଳାଇବାରେ ସାହାଯ୍ୟ କରିଛନ୍ତି । ଅଭିଯୁକ୍ତ ଜଣକ ପ୍ରାୟ ୨୫୦୦ ଜଣ ମହିଳାଙ୍କୁ ଶାରୀରିକ ଶୋଷଣ ମାମଲାରେ ସାମିଲ ଅଛନ୍ତି ।" ବିଜେପି ନେତାମାନଙ୍କ ବେଟି ବଚାଓ ବେଟି ପଢାଓ ସ୍ଲୋଗାନ କୁଆଡ୍ ଗଲା ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ବୀ ।
ଅମିତ ଶାହ ଦେଇଥିବା ମନ୍ତବ୍ୟ ଉପରେ ତେଜସ୍ବୀ ପ୍ରତିକ୍ରିୟା ରଖି କହିଛନ୍ତି, "ଅମିତ ଶାହଙ୍କ ମନ୍ତବ୍ୟ ଇଣ୍ଡିଆ ମେଣ୍ଟର ବିଜୟକୁ ସୂଚାଉଛି । ତେବେ ବିଜେପି ନେତାମାନେ ନିଜର ପରାଜୟ ସ୍ବୀକାର କରିଛନ୍ତି । ଲୋକସଭା ନିର୍ବାଚନର ଆଗାମୀ ପର୍ଯ୍ୟାୟରେ ବିଜେପି ଶୋଚନୀୟ ଭାବେ ପରାଜିତ ହେବ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ