ରାଞ୍ଚି:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝାଡଖଣ୍ଡ ହାଇକୋର୍ଟଙ୍କ ଝଟକା । ଅମିତ ଶାହଙ୍କ ବିରୋଧରେ ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ଶୁଣାଣି ପ୍ରକ୍ରିୟା ଉପରେ ରୋକ ଲଗାଇବା ଲାଗି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ଆଜି (ଶୁକ୍ରବାର) ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ଏହାସହ ମାମଲାର ଶୁଣାଣି ନିମ୍ନ ଅଦାଲତରେ ଜାରି ରହିବ ବୋଲି ହାଇକୋର୍ଟ କହିଛନ୍ତି ।
ଗତ ୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ରାହୁଲ ଗାନ୍ଧୀ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏନେଇ ବିଜେପି କର୍ମୀ ନବୀନ ଝା ମାନହାନି ମାମଲା ରୁଜୁ କରିଥିଲେ । ନବୀନଙ୍କ ଅଭିଯୋଗ ଅନୁସାରେ ରାହୁଲ ଗାନ୍ଧୀ କହିଥିଲେ ଯେ ' ହତ୍ୟା ଅଭିଯୁକ୍ତକୁ ବିଜେପି ନିଜ ଅଧ୍ୟକ୍ଷ ଭାବେ ଚୟନ କରିପାରୁଛି, ହେଲେ କଂଗ୍ରେସ ନିଜ ଦଳରେ ସାମିଲ କରିପାରିବ ନାହିଁ ।' ଅମିତ ଶାହଙ୍କ ବିରୋଧରେ ପରୋକ୍ଷରେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ୧୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ ।
ମାତ୍ର ୨୦୧୮ ଜୁଲାଇ ୭ ତାରିଖରେ ଏସଡିଜେଏମ ଅଜୟ କୁମାର ଗୁଡ୍ଡିୟା ଏହି ଆବେଦନକୁ ଖାରଜ କରିଦେଇଥିଲେ । ପରେ ଏହାକୁ ଚ୍ୟାଲେଞ୍ଜ କରି ନବୀନ ଝା ରାଞ୍ଚି କୋର୍ଟରେ କ୍ରିମିନାଲ ରିଭିଜନ ପିଟିସନ ଫାଇଲ କରିଥିଲେ । ଏହାପରେ ଜୁଡିସିଆଲ କମିଶନର ଏସଡିଜେଏମଙ୍କ ନିର୍ଦ୍ଦେଶକୁ ଖାରଜ କରିବା ସହ ସେପ୍ଟେମ୍ବର ୧୫ ତାରିଖରେ ଶୁଣାଣି କହି କହିଥିଲେ ' ଭାଷଣ ପଢିବା ପରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ବିଜେପି ଓ ଏହାର କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ କୁହାଯାଉଛି । ହେଲେ ଏହା ମାନହାନି ମାମଲା ଅଧୀନରେ ଆସିବ କି ନାହିଁ ତାହା ବିଚାର କରାଯିବ । ଏଠାରେ ଏହି କଥା ହଠାତ କୁହାଯାଇଛି କି ନାହିଁ ତା ଜରୁରୀ ନୁହେଁ ।'