ପାଟନା:ବିଧାନସଭାରେ ବିହାର ମେଣ୍ଟ ସରକାର ଦେବ ସଂଖ୍ୟାର ପରୀକ୍ଷା । ଯେଉଁଥିପାଇଁ ବିହାର ରାଜନୀତିକ ମାହୋଲ ସରଗରମ ରହିଛି । ଆସନ୍ତାକାଲି (ସୋମବାର) ଏହି ଫ୍ଲୋର୍ ଟେଷ୍ଟ ଥିବାବେଳେ ଏହାପୂର୍ବରୁ ଆଜି (ରବିବାର) ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡିୟୁ ବିଧାୟକ ଦଳ ବୈଠକ ଡକାଇଛନ୍ତି । ଜେଡିୟୁ ବରିଷ୍ଠ ନେତା ବିଜୟ ଚୌଧୁରୀଙ୍କ ପାଟନା ସ୍ଥିତ ବାସଭବନରେ ସନ୍ଧ୍ୟା 5ଟାରେ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସମସ୍ତ ବିଧାୟକ ଓ ବିଧାନ ପାରିଷଦମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଫ୍ଲୋର ଟେଷ୍ଟ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିବେ ନୀତିଶ ।
ସେପଟେ ଗତକାଲି (ଶନିବାର) ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାରଙ୍କ ବାସଭବନରେ ଆୟୋଜିତ ଏକ ଲଞ୍ଚ ପାର୍ଟିରେ ଜେଡିୟୁ ବିଧାୟକ ଓ ବିଧାନ ପରିଷାଦମାନଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ 12 ଜଣ ବିଧାୟକ ସାମିଲ ହୋଇନଥିଲେ । ଯାହାକୁ ନେଇ ରାଜନୀତିକ ଡ୍ରାମା ଦେଖିବାକୁ ମିଳିଥିଲା । ଏହି ଲଞ୍ଚ ପାର୍ଟିରେ ବୀମା ଭାରତୀ, ଅନିରୁଦ୍ଧ କୁମାର ଚୌଧୁରୀ, ଦିଲ୍ଲୀପ ରାୟ, ଅମନ ହଜାରୀ, ସୁଦର୍ଶନ, ଶାଲିନୀ ମିଶ୍ରା ପ୍ରମୁଖ ନେତା ସାମିଲ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ.. ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିଲେ ନୀତିଶ, କହିଲେ ଆଉ ଏପଟ ସେପଟ ହେବେନି
ହ୍ୱିପ ଜାରି କଲା ଜେଡିୟୁ: ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ 'ଖେଳ ଏବେ ବାକି ଅଛି' ମନ୍ତବ୍ୟ ପରେ ଜେଡିୟୁର ରାଜନୀତିକ ପାରା ଉପରମୁହାଁ ରହିଛି । ପାର୍ଟି ମୁଖ୍ୟମାନେ ଆଲର୍ଟ ମୋଡରେ ରହିଛନ୍ତି । ଭାରତୀୟ ଜନତା ପାର୍ଟି ଓ ଜନତା ଦଳ ମେଣ୍ଟ ନିଜ ନିଜର ବିଧାୟକମାନଙ୍କୁ ଏକାଠି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହାମଧ୍ୟରେ ଜେଡିୟୁ ନିଜ ବିଧାୟକମାନଙ୍କ ପାଇଁ ହ୍ୱିପ ଜାରି କରିଛି । 12 ଫେବ୍ରୁଆରୀରେ ସମସ୍ତ ବିଧାୟକମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଫ୍ଲୋର ଟେଷ୍ଟରେ ଯେଉଁ ବିଧାୟକ ଅନୁପସ୍ଥିତ ରହିବେ ସେମାନଙ୍କ ସଦସ୍ୟତା ପଦ ସମାପ୍ତ କରି ଦିଆଯିବ ବୋଲି ପାର୍ଟି ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।
ବିହାର ବିଧାନସଭା ଅଙ୍କ: ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ନୀତିଶ କୁମାର ବର୍ତ୍ତମାନ ବିଜେପି ସହ ମେଣ୍ଟ ସରକାର ଗଠନ କରିଛନ୍ତି । 243 ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏ ପାଖରେ 128 ବିଧାୟକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 78 ଜଣ ଭାରତୀୟ ଜନତା ପାର୍ଟି ଓ 45 ଜଣ ଜନତା ଦଳ, ହିନ୍ଦୁସ୍ତାନୀ ଆଓ୍ୱାମ ମୋର୍ଚ୍ଚା (HAM) ପାର୍ଟିର 4 ଜଣ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ସେହିପରି ମହାଗଠବନ୍ଧନର(ବିରୋଧୀ) 114 ଜଣ ବିଧାୟକ ଅଟନ୍ତି । ଯେଉଁଥିରେ ରାଷ୍ଟ୍ରୀୟ ଜନତା ଦଳର 79, କଂଗ୍ରେସ ଦଳର 19 ଓ ବାମ ଦଳର 16 ବିଧାୟକ ରହିଛନ୍ତି । ଏହାଛଡା ଏଆଇଏମଆଇଏମର ଜଣେ ବିଧାୟକ ମଧ୍ୟ ମହାଗଠବନ୍ଧନରେ ନିଜର ସମର୍ଥନ ଜଣାଇଛନ୍ତି । ତେବେ ସଂଖ୍ୟା ଗରିଷ୍ଠତା ପାଇଁ 122ଟି ଆସନ ଆବଶ୍ୟକ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ