ଥିରୁଅନନ୍ତପୁରମ: ଏନଆଇଏ ବା ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (NIA)ର ସ୍ବତନ୍ତ୍ର ଅଦାଲତ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । କେରଳର କୋଚି ସହରରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଦେଶର ଯୁବକମାନଙ୍କୁ ଭର୍ତ୍ତି କରିବା ମାମଲାରେ ଏକମାତ୍ର ଅଭିଯୁକ୍ତ ଥିବା ରିୟାଜ ଅବୁକରକୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହି ଅଭିଯୁକ୍ତ ଜଣକ କେରଳରେ ବୋମା ବିସ୍ଫୋରଣ ଓ ଆତ୍ମଘାତୀ ଆତଙ୍କୀ ଆକ୍ରମଣ ଲାଗି ଯୋଜନା କରୁଥିଲା ।
ସ୍ବତନ୍ତ୍ର କୋର୍ଟ ୟୁଏପିଏର ଧାରା ୩୮ ଅନୁଯାୟୀ ୧୦ ବର୍ଷ ଜେଲଦଣ୍ଡ, ୟୁଏପିଏର ଧାରା ୩୯ ଅନୁଯାୟୀ ୧୦ବର୍ଷ, ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦ (ବି) ଅନୁଯାୟୀ ୫ବର୍ଷ ଓ ମୋଟ ୧ ଲକ୍ଷ ୨୫ ହଜାର ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସଜ୍ଜା ଏକା ସାଙ୍ଗରେ ଚାଲିବ । ତେବେ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରିୟାସର ଏହି ସମସ୍ତ ମାମଲାର ଶୁଣାଣି ଚାଲିଥିବା ସମୟରେ ସେ ୫ ବର୍ଷ ଜେଲରେ ବିତାଇ ସାରିଛି । ଏଣୁ ଏହି ଦଣ୍ଡକୁ ହ୍ରାସ କରାଯାଇ ଏବେ ଦୋଷୀକୁ ଆଉ ସାଢେ ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।
କଣ ଥିଲା ମାମଲା ?ଦୋଷୀ ରିୟାଜ ଆଫଗାନିସ୍ତାନ ଯାଇଥିଲା ଓ କେରଳରେ ଆତ୍ମଘାତୀ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର ରଚିଥିଲା । ନୂଆବର୍ଷ ସେଲିବ୍ରେସନ ସମୟରେ ବଡ଼ ଧରଣର ବୋମା ବିସ୍ଫୋରଣ କରିବା ଲାଗି ଯୋଜନା ହୋଇଥିଲା । ଯାଞ୍ଚ ଏଜେନ୍ସି ଏ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହାପରେ ତଦନ୍ତ ପ୍ରକ୍ରିୟାକୁ ତ୍ବରିତ କରିବା ପରେ ରିୟାଜ ଏହି ଆକ୍ରମଣ ଲାଗି ଅନେକଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିବା ଜଣାପଡିଥିଲା । ଏହି ମାମଲାରେ ଏକମାତ୍ର ରିୟାଜକୁ ୨୦୧୯ରେ ଆକ୍ରମଣ କରିବା ଲାଗି ବିସ୍ଫୋଟକ ଏକତ୍ରିତ କରିବା ସମୟରେ ଗିରଫ କରାଯାଇଥିଲା ।