ନୂଆଦିଲ୍ଲୀ:ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା । ଗତ 24 ଘଣ୍ଟା ମଧ୍ୟରେ ଦୁଇଟି ମାଛଧରା ଡଙ୍ଗା ସହ ମତ୍ସ୍ୟଜୀବୀଙ୍କୁ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ନୌସେନା ଜାହାଜ 'ଆଇଏନଏସ ସୁମିତ୍ରା' । ଗୋଟିଏ ଜାହାଜରୁ 19 ଜଣ ପାକିସ୍ତାନୀ ଏବଂ ଅନ୍ୟ ଏକ ଜାହାଜରୁ 17 ଜଣ ଇରାନୀ କ୍ରୁ ମେମ୍ବରକୁ ସୁମିତ୍ରା ଉଦ୍ଧାର କରିଛି ।
ଭାରତୀୟ ନୌସେନା 28 ଏବଂ 29 ଜାନୁଆରୀରରେ ଆରବ ସାଗରରୁ ଦୁଇଟି ଜାହାଜକୁ ହାଇଜାକ ହେବାରୁ ରକ୍ଷା କରିଛି । ପିଟିଆଇର ସୂଚନା ମୁତାବକ, ଯୁଦ୍ଧପୋତ INS Sumitra ରବିବାର ପ୍ରଥମେ ଏକ ଇରାନ ଜାହାଜ FB Iranକୁ ହାଇଜାକ ହେବାରୁ ରକ୍ଷା କରିଥିଲା । ଏହାପରେ ପୁଣିଥିରେ ଆରବ ସାଗରରେ ସ୍ପେଶାଲ ଅପରେସନ ଦ୍ବାରା ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଏଲ ନୀମି ନାମକ ଏକ ଜାହାଜ ଏବଂ ମତ୍ସଜୀବୀଙ୍କୁ ଉଦ୍ଧାର କରିଛି । ଏହି ଅପରେସନରେ 19 ଜଣ କ୍ରୁ ମେମ୍ବର ଏବଂ ଜାହାଜକୁ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି ।
ସୂଚନା ଅନୁସାରେ, 11 ଜଣ ସଶସ୍ତ୍ର ବାହିନୀ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିବା ନୀମି ନାମକ ଏକ ମତ୍ସ୍ୟଜୀବୀ ଜାହାଜକୁ ହାଇଜାକ କରି ନେଇଥିଲେ । ଉକ୍ତ ଜାହାଜରେ 19ଜଣ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିଲେ । ତେବେ ଜଳଦସ୍ୟୁମାନଙ୍କର ଅପହରଣ ଅଭିଯାନକୁ ଭଣ୍ଡୁର କରିଥିଲା ସୁମିତ୍ରା । ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମିତ୍ରା’ ଉକ୍ତ ହାଇଜାକ ଜାହାଜକୁ ଅଟକାଇ 19 ଜଣ କ୍ରୁ ସଦସ୍ୟଙ୍କୁ ମୁକ୍ତ କରିଛି । କେରଳର କୋଚି ଉପକୂଳ ଠାରୁ 850 ମାଇଲ ଦୂରରେ ଏହି ଅପରେସନ କରି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ସୁମିତ୍ରା ।