ଲକ୍ଷ୍ନୌ:ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ‘ଇଣ୍ଡିଆ’ ମେଣ୍ଟର ଦୁଇ ମୁଖ୍ୟ ସହଯୋଗୀ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ଅପରାହ୍ନରେ ସପା ମୁଖ୍ୟ ଅଖିଳେଶ କହିଥିଲେ, ରାଜ୍ୟରେ ମେଣ୍ଟରେ ନିର୍ବାଚନ ଲଢେଇ ହେବ । ମେଣ୍ଟରେ କୌଣସି ବୁଝାମଣାରେ ଦ୍ବନ୍ଦ୍ବ ନାହିଁ । ସଂଧ୍ୟାରେ ଆସନ ସଂଖ୍ୟା ମଧ୍ୟ ଘୋଷଣା ହୋଇଛି । 80 ଆସନ ମଧ୍ୟରୁ ସମାଜବାଦୀ ପାର୍ଟି 63 ଆସନରେ ଲଢିବ । ଅବଶିଷ୍ଟ 17 ଆସନରେ କଂଗ୍ରେସ ନିର୍ବାଚନ ଲଢିବାକୁ ଯାଉଛି ।
2024 ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ପାଇଁ ଗତବର୍ଷ (2023) ଜୁନ୍ ମାସରେ ଗଠିତ ହୋଇଥିବା ବିରୋଧୀଙ୍କ ବହୁଦଳୀୟ ମହାମେଣ୍ଟର ପ୍ରଥମ ଆନୁଷ୍ଠାନିକ ସିଟ ସେୟାରିଂ ସାମ୍ନାକୁ ଆସିଛି । କଂଗ୍ରେସକୁ ସପା ଛାଡିଥିବା 17 ଆସନରେ ମଧ୍ୟରେ ବହୁ ପ୍ରମୁଖ ସଂସଦୀୟ କ୍ଷେତ୍ର ରହିଛି । ଏହି ଆସନ ମଧ୍ୟରେ ରାଏ-ବରେଲି ଓ ଆମେଠୀ ସମେତ କାନପୁର ନଗର, ଫତେହପୁର ସିକ୍ରି, ବାସଗାଓଁ, ସାହାରନପୁର, ପ୍ରୟାଗରାଜ, ମହାରାଜଗଞ୍ଜ, ଆମରୋହା, ଝାନସୀ, ବୁଲନ୍ଦସହର, ଘାଟିଆବାଦ, ମଥଜାବର , ବାରବାଙ୍କି, ଏବଂ ଦେଓରିଆ ପରି ଏକାଧିକ ଲଢୁଆ ସିଟ ରହିଛି ।