ଓଡିଶା

odisha

ETV Bharat / bharat

ପାଟନାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲା ‘ଇଣ୍ଡିଆ’ ମେଣ୍ଟ, ଗଣତନ୍ତ୍ର ବଞ୍ଚାଇବାକୁ ମାଗିଲା ଭୋଟ - 2024 ସାଧାରଣ ନିର୍ବାଚନ

INDIA Bloc Launches LS Poll Campaign: ପାଟନାରେ ପ୍ରଥମ ଶକ୍ତି ପ୍ରଦର୍ଶନ କଲା ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ବିଜେପି ଉପରେ ବର୍ଷିଲେ ବିରୋଧୀ । ଗଣତନ୍ତ୍ର ବଞ୍ଚାଇବାକୁ ମାଗିଲେ ଭୋଟ । ଅଧିକ ପଢନ୍ତୁ

ପାଟନାରେ ପ୍ରଥମ ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ, ଗଣତନ୍ତ୍ର ବଞ୍ଚାଇବାକୁ ମାଗିଲା ଭୋଟ
ପାଟନାରେ ପ୍ରଥମ ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ, ଗଣତନ୍ତ୍ର ବଞ୍ଚାଇବାକୁ ମାଗିଲା ଭୋଟ

By ETV Bharat Odisha Team

Published : Mar 3, 2024, 6:47 PM IST

ପାଟନା:ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ବିହାର ରାଜଧାନୀ ପାଟନାରେ ପ୍ରଥମ ଶକ୍ତି ପ୍ରଦର୍ଶନ କରିଛି । ଆଜି ଗାନ୍ଧୀ ମୈଦାନରେ ପ୍ରଥମ ନିର୍ବାଚନୀ ସଭାରେ ମେଣ୍ଟ ଶକ୍ତି ପ୍ରଦର୍ଶନ କରିବା ସହ ସାଧାରଣ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛି । ଆଜି ସଭାରେ ମେଣ୍ଟ ମୁଖ୍ୟ ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡେଗ, ରାହୁଲ ଗାନ୍ଧୀ, ଆରଜେଡି ମୁଖ୍ୟ ଲାଲୁ ଯାଦବ, ତେଜସ୍ବୀ ଯାଦବ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସିପିଆଇ-ଏମ ମହାସଚିବ ସିତାରାମ ୟାଚୁରୀ, ସିପିଆଇ ମହାସଚିବ ଡି.ରାଜା ଓ ସିପିଆଇ-ଏମଏଲ ମହାସଚିବ ଦୀପଙ୍କର ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି । ବର୍ତ୍ତମାନର ବିଜେପି ସରକାରକୁ ଏକଛତ୍ରବାଦୀ ଓ ଦେଶ ବିଭାଜନକାରୀ ଶକ୍ତି ବୋଲି କହି ମେଣ୍ଟ ନେତାମାନେ ବର୍ଷିଛନ୍ତି । ଗଣତନ୍ତ୍ର ବଞ୍ଚାଇବାକୁ ‘ଇଣ୍ଡିଆ’ ମେଣ୍ଟକୁ ଭୋଟ ଦେବା ପାଇଁ ସେମାନେ ଦେଶକୁ ଆହ୍ବାନ ଦେଇଛନ୍ତି ।

ତେବେ ଗତବର୍ଷ ପାଟନାରେ ମେଣ୍ଟର ପ୍ରଥମ ଅନୌପଚାରିକ ବୈଠକ ହୋଇଥିଲା । ଏହାର ନେତୃତ୍ବ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନେଇଥିଲେ । ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁରେ ‘ଇଣ୍ଡିଆ’ ମେଣ୍ଟ ବ୍ୟାନରରେ ବିରୋଧୀ ଏକାଠି ହେଲେ । ଏହାର କିଛି ମାସ ପରେ ମେଣ୍ଟ ଆଜି ବିହାର ରାଜଧାନୀ ପାଟନାରେ ପ୍ରଥମ ନିର୍ବାଚନୀ ସଭା କରି ଶକ୍ତି ପ୍ରଦର୍ଶନ କରିଛି । ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶ ଓ ଜାତୀୟ ରାଜନୀତିରେ ପ୍ରଭାବ ରଖୁଥିବା ଅନ୍ୟତମ ରାଜ୍ୟ ବିହାରକୁ ଫୋକସ କରି ଏହି ନିର୍ବାଚନୀ କ୍ୟାମ୍ପନିଂ ଆରମ୍ଭ ହୋଇଛି । ଏହି ଉଭୟ ରାଜ୍ୟରେ ଲୋକସଭାର 120 ଆସନ ରହିଛି । ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ରାଜ୍ୟଗୁଡିକରେ ମେଣ୍ଟର ସଭା ଆୟୋଜିତ ହେବ ।

ମେଣ୍ଟର ମୁଖିଆ ମଲ୍ଲିକାର୍ଜୁନ ଖଡଗେ ନିଜ ସମ୍ବୋଧନରେ ଏକାଧିକ ପ୍ରସଙ୍ଗରେ ବିଜେପି ସରକାରର ନୀତି ଓ ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି । ବିଜେପି ଦେଶରେ ବିଭାଜନକାରୀ ରାଜନୀତି କରୁଛି । ପ୍ରଧାନମନ୍ତ୍ରୀ ମିଛୁଆଙ୍କ ସର୍ଦ୍ଦାର ବୋଲି ଖଡଗେ କହିଛନ୍ତି । ସପା ମୁଖ୍ୟ ତଥା ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଉଭୟ ରାଜ୍ୟରେ ମେଣ୍ଟ ସହଯୋଗୀ ଦଳମାନେ 120 ଆସନରେ ଜିତି ବିଜେପିକୁ ଜବାବ ଦେବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସରପ୍ରାଇଜିଂ ବିଜେପି ! ପ୍ରଥମ ପର୍ଯ୍ୟାୟରେ କଟିଲା 33 ସାଂସଦଙ୍କ ଟିକେଟ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ବୈଠକରେ ମମତା ବାନାର୍ଜୀଙ୍କୁ ଦେଖିବାକୁ ମିଳିନି । ପଶ୍ଚିମବଙ୍ଗରେ ମମତାଙ୍କ ଟିଏମସି ସମସ୍ତ ଆସନରେ ଏକାକୀ ଲଢିବାକୁ ଘୋଷଣା କରିଛନ୍ତି । ଅନ୍ୟ କିଛି ରାଜ୍ୟରେ ମଧ୍ୟ ମେଣ୍ଟ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇନାହିଁ । ନିଜେ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ଅନ୍ୟପଟେ ବିଜେପି ଗତକାଲି ପ୍ରଥମ ପର୍ଯ୍ୟାୟରେ 18 ରାଜ୍ୟରେ 195 ଆସନରେ ପ୍ରାର୍ଥୀ ଘୋଷଣା କରି ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details