ନୂଆଦିଲ୍ଲୀ: ଯଦି ଚଳିତ (2024) ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ପରାଜିତ ନହୁଏ, ତେବେ ଆସନ୍ତା ଥର (2029) ସାଧାରଣ ନିର୍ବାଚନରେ ଦେଶକୁ ଆମ ଆଦମୀ ପାର୍ଟି ବିଜେପି ମୁକ୍ତ କରିବ । ବିଜେପି ଯଦି ପୁରାଦେଶରେ କେଉଁ ଦଳକୁ ନେଇ ସର୍ବାଧିକ ଭୟଭୀତ, ତାହା ହେଉଛି ‘ଆମ ଆଦମୀ ପାର୍ଟି’ । ତେଣୁ ଆମ ଆଦମୀ ପାର୍ଟି ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥାଭୋଟ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ତଥା ‘ଆପ’ ପ୍ରତିଷ୍ଠାତା ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ବିଜେପିକୁ ଟାର୍ଗେଟ କରି ଏହା କହିଛନ୍ତି ।
କେଜ୍ରିଓ୍ବାଲ କହିଛନ୍ତି,‘‘ଆମ ଆଦମୀ ପାର୍ଟି’ ବିଜେପି ପାଇଁ ସର୍ବାଧିକ ବିପଦ ସୃଷ୍ଟି କରିଛି । ସେମାନେ ଭୟଭୀତ ହୋଇ ଆମ ଆଦମୀ ପାର୍ଟି ବିରୋଧରେ ତମାମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି । ଏଥିପାଇଁ ‘ଆପ’ ଭୟଭୀତ ନୁହେଁ । ଯଦି 2024ରେ ବିଜେପି ପରାଜିତ ନହେଲା, ତେବେ 2029ରେ ଆମ ଆଦମୀ ପାର୍ଟି ପୁରା ଦେଶକୁ ବିଜେପି ଶାସନରୁ ମୁକ୍ତ କରିବ । ଆମ ଆଦମୀ ପାର୍ଟି ଗଠନ ହେବାର ଅଳ୍ପ ସମୟ ମଧ୍ୟରେ ଜାତୀୟ ଦଳରେ ପରିଣତ ହୋଇଛି । ଦଳ ଏବେ ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ରହିଛି । ଦଳ ଦିଲ୍ଲୀରେ ଐତିହାସିକ ଜନାଦେଶ ପାଇଛି । ଗୁଜୁରାଟରେ ମଧ୍ୟ ଦଳ 5 ବିଧାୟକ ଜିତିଛି । ଗୋଆରେ ମଧ୍ୟ ଦଳ 2 ବିଧାନସଭା ଆସନରେ ବିଜୟ ଲାଭ କରିଛି । ଦଳର ଏହି ପ୍ରଦର୍ଶନରେ ବିଜେପି ‘ଆମ ଆଦମୀ ପାର୍ଟି’କୁ ନେଇ ଭୟଭୀତ ହୋଇପଡିଛି ।
ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମନେ ପକାଇ କେଜ୍ରିଓ୍ବାଲ କହିଛନ୍ତି,‘‘ ତମାମ ଚାପ ଓ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ସିସୋଦିଆ ଭୟଭୀତ ନଥିଲେ । ଏକାଧିକ ଆପ ନେତା ଏବେ ଗିରଫ ହୋଇ ଜେଲରେ ଅଛନ୍ତି । ସେମାନେ (ବିଜେପି) ଏପରି କରି ‘ଆପ’କୁ ଭୟଭୀତ କରିବାକୁ ଚାହୁଁଛନ୍ତି । ଆମ ଆଦମୀ ପାର୍ଟି ସରକାରର ବିକାଶମୂଳକ କାର୍ଯ୍ୟକୁ ରୋକିବାକୁ ପ୍ରୟାସ କରୁଛି । ଏବେ ଏକାଧିକ ନେତାଙ୍କୁ ଗିରଫ କରିବା ପରେ ଦଳମୁଖ୍ୟଙ୍କୁ ମଧ୍ୟ ଗିରଫ କରିବା ପାଇଁ ସେମାନେ ଲକ୍ଷ୍ୟ ରଖିଛନ୍ତି ।’’