ରାୟପୁର:ଛତିଶଗଡ଼ କବିରଧାମ ଜିଲ୍ଲାର କବର୍ଧା ସହରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଅକାଳରେ ଆଖି ବୁଜିଲେ 18 ଅନୁସୂଚିତ ଜନଜାତି ବର୍ଗର ଲୋକେ । ମୃତକଙ୍କ ମଧ୍ୟରେ 17ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି । ଜଙ୍ଗଲରୁ ଫେରିବା ସମୟରେ ଏମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଜଙ୍ଗଲରୁ ପିକଅପ୍ ଭ୍ୟାନରେ ଫେରିବା ସମୟରେ ହଠାତ ଯାନଟି ଅନିୟନ୍ତ୍ରିତ ହୋଇପଡ଼ିଥିଲା । ଏହାପରେ ଗାଡିଟି 20 ଫୁଟ ଗାତରେ ଖସି ପଡ଼ିଥିଲା । ପିକଅପ୍ରେ ପ୍ରାୟ 25ଜଣ ଯାତ୍ରା କରୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଏହି ଆଦିବାସୀ ସମ୍ପ୍ରଦାୟର ଲୋକେ ଜୀବନ ଜୀବିକା ପାଇଁ ଅଧିକାଂଶ ଜଙ୍ଗଲ ଉପରେ ନିର୍ଭରଶୀଳ । ତେବେ ସେମାନେ ପ୍ରତିଦିନ ପରି ଜଙ୍ଗଲକୁ ଯାଇଥିଲେ । ସେଠାରେ ନିଜର କାମ ସାରି ଘରକୁ ଫେରିବା ସମୟରେ ରାସ୍ତାରେ ଛକି ବସିଥିଲା ଯମ । ସେମାନେ ଫେରୁଥିବା ସମୟରେ ହଠାତ ପିକଅପ୍ ଭ୍ୟାନଟି ସନ୍ତୁଳନ ହରାଇ ଗାତରେ ଖସି ପଡ଼ିଥିଲା । ଏହି ସଡ଼କ ଦୁର୍ଘଟଣା କବର୍ଧା କୁକଦୁର ଥାନା ଅଧିନସ୍ଥ ବାହପାନି ଗ୍ରାମ ନିକଟରେ ଘଟିଛି । ମୃତ୍ୟୁବରଣ କରିଥିବା ଆଦିବାସୀମାନେ ପାଖ ଗାଁ ସେମହାରାର ଜଣାପଡ଼ିଛି ।
ଏହା ବି ପଢନ୍ତୁ- ଚଳନ୍ତା ବସରେ ଲାଗିଲା ନିଆଁ; ୯ ଜୀବନ୍ତ ଦଗ୍ଧ, ୨୪ରୁ ଉର୍ଦ୍ଧ୍ୱ ଗୁରୁତର
ସେମାନେ କେନ୍ଦୁପତ୍ର ତୋଳି ଫେରିବା ସମୟରେ ଏହି ଅଘଟଣର ଶିକାର ହୋଇଥିଲେ । ଦୁର୍ଘଟଣା ସମୟରେ ଏହି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଲୋକଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ମୃତକ ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଥିବା ପୋଲିସ କହିଛି । ଏନେଇ କବର୍ଧା ଏସପି ଅଭିଷେକ ପଲ୍ଲବ କହିଛନ୍ତି, "ପିକଅପ ଭ୍ୟାନରେ ପ୍ରାୟ 25ଜଣ ଲୋକ ଯାତ୍ରା କରୁଥିଲେ । ଏହାସହିତ 8 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 17 ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି ।"
ଏହା ବି ପଢନ୍ତୁ- କଳାହାଣ୍ଡିରେ ଦ୍ରୁତ ଗତିରେ ଆସି ମାଡିଗଲା କାର୍, ଜଣେ ମୃତ ୫ ଗୁରୁତର, ରାୟଗଡାରେ ବାଇକ ଧକ୍କାରେ ୨ ମୃତ
ସୂଚନା ଥାଉ କି ଏହା ପୂର୍ବରୁ ଦୁର୍ଗର କୁମ୍ଭାରୀ ଥାନା ଅଞ୍ଚଳରେ ଗତ ଏପ୍ରିଲ 9ତାରିଖରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । କୁମ୍ଭାରୀ ଥାନାର କେଡିୟା କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିାବ ଏକ ବସ ନିୟନ୍ତ୍ରଣ ହରାଇ 25 ଫୁଟ ଗଭୀର ଗାତକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ 13ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଓ 17 ଜଣ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ