ଚଣ୍ଡିଗଡ:ସାରା ଦେଶରେ ହୋଲି ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ହୋଲି ମିଳନ କାର୍ଯ୍ୟକ୍ରମରେ କଂଗ୍ରେସ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଛି । 2024 ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଅନ୍ତକନ୍ଦଳ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିନଥିବା ବେଳେ ଫରିଦାବାଦରେ କିନ୍ତୁ ଏହି କନ୍ଦଳ ଦେଖିବାକୁ ମିଳିଛି । ଦୁଇ ନେତାଙ୍କ ମଧ୍ୟରେ ସଂଘର୍ଷ ସହିତ ଧମକ ଏବଂ ଗାଳି ଗୁଲଜ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।
ମାର୍ଚ୍ଚ 24 ତାରିଖରେ ଫରିଦାବାଦ ଠାରେ କଂଗ୍ରେସ ପ୍ରଦେଶ ମୁଖ୍ୟ ସୁମିତ ଗୌଡଙ୍କ ଦ୍ୱାରା ହୋଲି ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଠାରେ ପୂର୍ବତନ ବିଧାୟକ ତଥା କଂଗ୍ରେସ କର୍ମୀମାନେ ଏକାଠି ହୋଇଥିଲେ । ତେବେ ଏହାରି ଭିତରେ ହଠାତ ଦୁଇ ନେତାଙ୍କ ମଧ୍ୟକେ ଯୁକ୍ତିତର୍କ ଏବଂ କଳହ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଓ କଂଗ୍ରେସ କର୍ମୀ ପରସ୍ପରକୁ ଦୁର୍ବ୍ୟବହାର କରିବା ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ତେବେ କଂଗ୍ରେସ ମୁଖପାତ୍ର ସମାଧାନ ପାଇଁ ହସ୍ତକ୍ଷେପ କରିଥିଲେ ସୁଦ୍ଧା ମାମଲା ଶାନ୍ତ ପଡିନଥିଲା ।
ସୋଫାରେ ବସିବା ନେଇ ବିବାଦ !:ହୋଲି ମିଳନ କାର୍ଯ୍ୟକ୍ରମରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ମହେନ୍ଦ୍ର ପ୍ରତାପ ଏବଂ ପୂର୍ବତନ ଟିଗାଓଁ ବିଧାୟକ ଲଲିତ ନଗର ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ସବୁକିଛି ଠିକ ରହିଥିବା ବେଳେ ସମସ୍ତେ ହୋଲି ଲଗାଇ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ସୋଫାରେ ବସିବାକୁ ନେଇ ଆରମ୍ଭ ହୋଇଥିଲା କଥାକଟାକଟି । ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ମାମଲାକୁ ରୋକିବା ପାଇଁ ବାରମ୍ବାର ମାଇକ ଯୋଗେ ନିବେଦନ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ପରସ୍ପର ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିବା ସହିତ ଧସ୍ତାଧସ୍ତି ଆଡକୁ କଥା ଯାଇଥିଲା ।