ଲକ୍ଷ୍ନୌ:ଅନ୍ତ ହେଲା କାଳ କାଳର ପ୍ରତୀକ୍ଷା । ସାକାର ହେଲା ଦୀର୍ଘ ୫୦୦ ବର୍ଷ ସ୍ବପ୍ନର ଅପେକ୍ଷା । ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ । ରାମ ଭକ୍ତଙ୍କୁ ଭକ୍ତି ଭାବ ସାଗରରେ ଭସାଇ ଭବ୍ୟ, ଦିବ୍ୟ ସୁସଜ୍ଜିତ ମନ୍ଦିରରେ ବିରାଜିଲେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର । ଅଯୋଧ୍ୟା ରାମ ମନ୍ଦିରରେ ମାହେନ୍ଦ୍ର ବେଳା ଓ ମାହାର୍ଘ୍ୟ ଶୁଭ ଅଭିଜିତ ମୁହୂର୍ତ୍ତରେ ହେଲା ଅଯୋଧ୍ୟା ରାମକୁମାରଙ୍କ ପ୍ରାଣ ପ୍ରତିଷ୍ଠା । ରାମଲାଲାଙ୍କ ଘରବାହୁଡ଼ା ପରେ ଆରମ୍ଭ ହେଲା ରାମରାଜ୍ୟ । ରାମଲାଲାଙ୍କୁ ଦର୍ଶନ ପାଇଁ ନବବଧୁ ଅଯୋଧ୍ୟା ହାତଠାରି ଡାକିଲା ଭଳି ମନେ ହେଉଛି । ସବୁଠି ଶୁଭୁଛି ଶ୍ରୀରାମ ଶ୍ରୀ ରାମ । ତେବେ ରାମଙ୍କ ହସ ହସ ମୁହଁ ଦେଖି ଭକ୍ତ ମଧ୍ୟ ବିଭୋର ହୋଇଛନ୍ତି ।
ଐତିହାସିକ ଦିନ ଜାନୁଆରୀ 22:ବର୍ଷ ବର୍ଷ ଧରି ଏ ମନ ଯାହା ଚାହୁଁଥିଲା ତାହା ଆଜିର ଐତିହାସିକ ଦିନରେ ପୂରଣ ହୋଇଛି । ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିଛନ୍ତି । ଶେଷ ହୋଇଛି ବର୍ଷ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି । ୮୪ ସେକେଣ୍ତର ଶୁଭ ମୂହୁର୍ତ୍ତରେ ସମ୍ପନ୍ନ ହୋଇଛି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ । ୧୨ଟା୧୫ ରୁ ୧୨ଟା୪୫ ମିନିଟ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ପାଇଁ ମାହାର୍ଘ୍ୟ ମୁହୂର୍ତ୍ତ ରହିଥିବା ବେଳେ ରାମଲାଲା ମଧ୍ୟ ବିରାଜିଛନ୍ତି । ମୁଖ୍ୟ ଯଜମାନ ଭାବେ ଦାୟିତ୍ବ ତୁଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯଜମାନ ଦାୟିତ୍ବ ତୁଲାଇବା ପାଇଁ ଗତ ୧୧ ଦିନ ଧରି କଠୋର ବ୍ରତ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ମଙ୍ଗଳ ଆଳତି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ରହିଥିଲେ।
ରାମଲାଲାଙ୍କୁ ମୋଦିଙ୍କ ସାଷ୍ଟାଙ୍ଗ ପ୍ରଣିପାତ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ବିଶ୍ବ ଉତ୍ସବ ମୁଖର ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳନ କରୁଥିଲେ। 11 ଦିନ ଧରି ବ୍ରତ କରିଥିବା ବେଳେ ପଇଡ଼ ପାଣି ପିଇ ଚଟାଣରେ ଶୋଉଥିଲେ । ଆଜି ସକାଳୁ ସକାଳୁ ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିରରେ ପହଞ୍ଚିବା ପରେ ମୁଖ୍ୟ ଯଜମାନ ଭାବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଏହାପରେ ରୀତିନୀତି ଅନୁସାରେ, ରାମଲାଲାଙ୍କ ଆଖିରୁ ପୋଟଳି ଫିଟାଇ କଜ୍ବଳ ଲଗାଇଛନ୍ତି । ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହେବା ପରେ ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସାଧୁସନ୍ଥଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି । ସୁଚାରୁରୂପେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବା ପରେ ବେଶ୍ ଖୁସି ଅଛନ୍ତି ପ୍ରଧାନମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ : ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 'ଆମ ଲାଲା ଆଉ ଟେଣ୍ଟରେ ରହିବେ ନାହିଁ'