ରାଞ୍ଚି: ଆଜି କୋର୍ଟରେ ହାଜର ହେବେ ହେମନ୍ତ ସୋରେନ । ଆଜି ଶେଷ ହେଉଛି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି । ଗତ ଶୁଣାଣିବେଳେ କୋର୍ଟ ଇଡି କରିଥିବା ରିମାଣ୍ଡ ଆବେଦନକୁ ମଞ୍ଜୁର କରିଥିଲେ । ହେମନ୍ତଙ୍କୁ 3 ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ ଆଜି ହେମନ୍ତଙ୍କୁ କୋର୍ଟରେ ହାଜର କରାଯିବ ।
ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ହେମନ୍ତ ସୋରେନ । 13 ଦିନ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିଥିଲା । ଆଜି ତାଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯିବ । ତେବେ ହେମନ୍ତଙ୍କ ସହଯୋଗୀ ବିନୋଦ କୁମାର ସିଂଙ୍କୁ ମଧ୍ୟ ସ୍କାନରକୁ ନେଇ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ବିନୋଦ ଏକ ପ୍ରମୁଖ ପ୍ରମାଣ ସାଜିପାରନ୍ତି ।
ଜମି ଦୁର୍ନୀତି ମାମଲାରେ ଖୋଳତାଡ଼ ପରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଇଡି ହାତରେ ଲାଗିଛି । ବିନୋଦଙ୍କ ହ୍ବାଟସଆପ୍ ଚାଟରୁ ତଦନ୍ତକାରୀ ସଂସ୍ଥା କିଛି ସୁରାକ ପାଇଥିବା କୁହାଯାଉଛି । ଗତ 12 ତାରିଖରେ ବିନୋଦ କୁମାର ସିଂଙ୍କ ବାସଭବନରେ ଚଢାଉ କରାଯାଇଥିଲା । ଏହା ପୂର୍ବରୁ ବି ଚଢାଉ ହୋଇଥିବାବେଳେ ଦ୍ବିତୀୟ ଥର ପାଇଁ ପୁନର୍ବାର ରେଡ୍ କରିଥିଲା ଇଡି । ଆଜି ତାଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି ।