ରାଞ୍ଚି:ବହୁଚର୍ଚ୍ଚିତ ଜମି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେଲ ଯିବାକୁ ପଡିଛି । ତାଙ୍କୁ ଗତକାଲି ଅପରାହ୍ନରେ ପିଏମଏଲଏ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା । ଅଧିକ ଜେରା ପାଇଁ ‘ଇଡି’ 10 ଦିନିଆ ରିମାଣ୍ଡ ମାଗିଥିଲା । ତେବେ କୋର୍ଟ ରିମାଣ୍ଡ ଆବେଦନର ଶୁଣାଣି ଆଜି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ହେମନ୍ତଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି । ଆଜି(ଶୁକ୍ରବାର) ଅପରାହ୍ନରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ । ଆଜିର ଶୁଣାଣି ହେମନ୍ତଙ୍କ ପାଇଁ ନିର୍ଣ୍ଣାୟକ ହେବାକୁ ଯାଉଛି ।
ତେବେ ସେ କୋର୍ଟରେ ହାଜର ହେବା ପୂର୍ବରୁ ଇଡିର ଗିରଫଦାରୀ ବିରୋଧରେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି ହେମନ୍ତ । ଏହି ଗିରଫଦାରୀ ସମ୍ପୂର୍ଣ୍ଣ ବେଆଇନ ଓ କେନ୍ଦ୍ରୀୟ ସଂସ୍ଥା ନିଜର କ୍ଷମତାର ଅପବ୍ୟବହାର କରି ତାଙ୍କୁ ଗିରଫ କରିଥିବା ସେ ପିଟିସନରେ ଦର୍ଶାଇଛନ୍ତି । ଇଡିର ଅଧିକାରୀଙ୍କ ଟିମ ବିରୋଧରେ ଏସସି-ଏସଟି ଆକ୍ଟରେ ହେମନ୍ତ ଏହି ମାମଲା କରିଛନ୍ତି । ଯାହାର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆଜି ରାଞ୍ଚି ପିଏମଏଲଏ କୋର୍ଟ ମଧ୍ୟ ଇଡିର ରିମାଣ୍ଡ ମାମଲାର ଶୁଣାଣି କରିବ । ହେମନ୍ତ ବେଲ ପାଇବେ, ଜେଲ ଯିବେ ନା ଇଡି ରିମାଣ୍ଡରେ ଯିବେ, ତାହା ସ୍ପଷ୍ଟ ହେବ ।