ନୂଆଦିଲ୍ଲୀ: ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଆବେଦନ ଉପରେ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ସୋରେନ । ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଗୁରୁବାର ଦିନ ଏହି ଆବେଦନ କରିଥିଲେ । ତେବେ ଏହାର ଶୁଣାଣି ପାଇଁ ମନା କରିବା ସହ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ହେମନ୍ତ ସୋରେନଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ୩ ଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିଥିଲେ । ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ଏମଏମ ସୁନ୍ଦରେଶ, ଜଷ୍ଟିସ ବେଲା ଏମ. ତ୍ରିବେଦୀ ଥିଲେ । ଆଜି ଦିନ ସାଢେ ୧୦ଟାରେ ଆବେଦନ ଉପରେ ଶୁଣାଣି ହୋଇଥିଲା । ଗୁରୁବାର ସୋରେନଙ୍କ ଓକିଲ କପିଲ ଶିବଲ ଆବେଦନ ଦାୟର କରି ସର୍ବୋଚ୍ଚ କୋର୍ଟକୁ କହିଥିଲେ ଯେ, ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । କିନ୍ତୁ ଉକ୍ତ ମାମଲାକୁ ଫେରାଇ ନିଆଯିବ । ଏହାପରେ କୋର୍ଟ ହେମନ୍ତ ସୋରେନଙ୍କ ଆବେଦନକୁ ଆଜି ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ:ଗିରଫ ପରେ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା; ମୁଁ କେବେ ହାର୍ ମାନିବିନି, ଡରିବିନି