ପାଟନା:ବିବାହ ଉତ୍ସବରେ ସାଧାରଣତଃ ସୁସ୍ବାଦୁ ଭୋଜନ ସାଙ୍ଗକୁ ବରଯାତ୍ରୀ, ଡିଜେ, ଡ୍ୟାନ୍ସର ଆସର ଜମେ । ହେଲେ କିଛି ନୂଆ କରିବା ଆଶାରେ ନିଜ ବିବାହ ଉତ୍ସବରେ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି ବିହାର ଔରଙ୍ଗାବାଦ ଜିଲ୍ଲାର ଜନୈକ ବର । ଏହି ବିବାହ ଉତ୍ସବରେ ବରକନ୍ୟା ରକ୍ତଦାନ କରିଥିବା ବେଳେ ଅତିଥମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏହି ନିଆରା ବିବାହ ଉତ୍ସବକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ବରଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରାଯାଇଛି ।
କଥାରେ ଅଛି ରକ୍ତଦାନ ମହାପୂଣ୍ୟ । ଜୀବନରେ ବ୍ୟକ୍ତିଟିଏ ଥରେ ବି ରକ୍ତଦାନ କରିଥିଲେ ନିଜକୁ ଭାଗ୍ୟଶାଳୀ ମନେ କରେ । କାରଣ ନିଜ ଦେହର କେଇ ବୁନ୍ଦା ରକ୍ତ ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚାଇଥାଏ । ଏଣୁ ସମୟେ ସମୟେ ରକ୍ତଦାନ ଶିବିରର ଆୟୋଜନ କରାଯାଉଥିବା ବେଳେ ଲୋକଙ୍କୁ ରକ୍ତଦାନ କରିବା ଲାଗି ଉତ୍ସାହିତ କରାଯାଏ । ଜୀବନରେ ରକ୍ତର ମୂଲ୍ୟକୁ ଭଲ ଭାବେ ବୁଝିଛନ୍ତି ଜିଲ୍ଲାର ହସପୁରା ଅଞ୍ଚଳର ଅଧିବାସୀ ତଥା ବର ଅନିଶ କେଶରୀ । ସେ ଆରା ସହରର ଅଧିବାସୀ ସିମ୍ରନ କେଶରୀଙ୍କୁ ବିବାହ କରିଛନ୍ତି । ନିଜ ବିବାହକୁ ଭିନ୍ନ କରିବା ଲାଗି ସେ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ।
ଏହା ବି ପଢନ୍ତୁ- ବରର ବାପା ସାଜିଲେ ଉଦାହରଣ; ଫେରାଇଲେ ୧୧ ଲକ୍ଷ, ଆଣିଲେ ଟଙ୍କାଟିଏ