ଲକ୍ଷ୍ନୌ: 2019 ନଭେମ୍ବରରେ ଐତିହାସିକ ଅଯୋଧ୍ୟା ରାୟ ଦେଇଥିବା ସୁପ୍ରିମକୋର୍ଟଙ୍କ 5 ବିଚାରପତିଙ୍କୁ କରାଗଲା ନିମନ୍ତ୍ରଣ । ଆସନ୍ତା ଜାନୁଆରୀ 22 ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ଏହି 5 ବିଚାରପତି ଉତ୍ତରପ୍ରଦେଶ ସରକାରଙ୍କ ରାଜ୍ୟ ଅତିଥି ଭାବେ ଏହି ଭବ୍ୟ ସମାରୋହରେ ଯୋଗଦେବେ । ଗତ 4ବର୍ଷ ପୂର୍ବେ ଏହି ମାମଲାର ଶୁଣାଣି କରି ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ଲାଗି ଅନୁମତି ପ୍ରଦାନ କରିଥିଲେ ।
ରାମ ଜନ୍ମଭୂମି ବିବାଦକୁ ନେଇ ଗତ 4 ବର୍ଷ ପୂର୍ବେ ସୁପ୍ରିମକୋର୍ଟଙ୍କ 5 ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ପୂର୍ବତନ ସିଜେଆଇ ସିଏ ବୋବଡେ, ପୂର୍ବତନ ସିଜେଆଇ ରଞ୍ଜନ ଗୋଗେଇ, ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ପୂର୍ବତନ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିର ଐତାହାସିକ ରାୟ ଦେଇଥିଲେ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରାୟ 50 ଜଣ ଜୁରୀଙ୍କୁ ନିମନ୍ତ୍ରିତ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି, ଜଜ୍ ଓ ଦେଶର ଶୀର୍ଷ ଆଇନଜୀବୀ । ସଲିସିଟର ଜେନେରାଲ ତୁଶାର ମେହତା ଓ ପୂର୍ବତନ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଲ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।