ଓଡିଶା

odisha

ETV Bharat / bharat

ପଞ୍ଚମ ଦିନରେ କୃଷକ ଆନ୍ଦୋଳନ: ପଞ୍ଜାବ ସୀମାରେ ଉତ୍ତେଜନା, ଆଜି ହରିୟାଣାରେ ଟ୍ରାକ୍ଟର ରାଲି

Farmers Protest: ପଞ୍ଚମ ଦିନରେ ପହଞ୍ଚିଛି କୃଷକମାନଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ । ଆଜି ହରିୟାଣାରେ କୃଷକ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି କରାଯିବ । ଶାନ୍ତିପୂର୍ଣ୍ଣ ରାଲି କରାଯିବା ନେଇ କୃଷି ନେତାଙ୍କ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ସରକାରଙ୍କ ସହ ଚତୁର୍ଥ ପର୍ଯ୍ଯାୟ ଆଲୋଚନା । ଅଧିକ ପଢ଼ନ୍ତୁ,

Farmers Protest
ପଞ୍ଚମ ଦିନରେ କୃଷକଙ୍କ 'ଦିଲ୍ଲୀ ଚଲୋ'

By ETV Bharat Odisha Team

Published : Feb 17, 2024, 9:44 AM IST

ଚଣ୍ଡୀଗଡ: ପଞ୍ଚମ ଦିନରେ ପହଞ୍ଚିଛି କୃଷକମାନଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ । ହଜାର ହଜାର କୃଷକ ବିଭିନ୍ନ ଦାବି ନେଇ ଜାତୀୟ ରାଜଧାନୀ ଦିଲ୍ଲୀ ଆଡକୁ ମାଡି ଚାଲିଛନ୍ତି । ଆଜି(ଶନିବାର) ହରିୟାଣାରୁ ଟ୍ରାକ୍ଟର ରାଲିରେ ବାହାରିବେ ହଜାର ହଜାର କୃଷକ । କୃଷକ ନେତା ଗୁରୁନାମ ଚଢୁନୀଙ୍କ ଆହ୍ୱାନରେ ଟ୍ରାକ୍ଟର ରାଲି ଆରମ୍ଭ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଏହା ମାର୍ଚ୍ଚ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏହି ସମୟରେ କୃଷକମାନଙ୍କୁ ଉପଦ୍ରବ ନକରିବା ପାଇଁ ଅପିଲ କରାଯାଇଛି ।

ଚାଷୀମାନେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଗ୍ୟାରେଣ୍ଟିଠୁ ଆରମ୍ଭ କରି 12 ଦଫା ଦାବି ନେଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି ହଜାର ହଜାର କୃଷକ ଏବଂ ବିଭିନ୍ନ ସଂଗଠନ । କେନ୍ଦ୍ର ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ଏହି ଆନ୍ଦୋଳନ କରାଯାଇଛି । ଦିଲ୍ଲୀ ଚଲୋ ନାରାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି । ଗତକାଲି (ଶୁକ୍ରବାର) 'ଗ୍ରାମୀଣ ଭାରତ ବନ୍ଦ' ଡାକରା ଦେଇଥିଲା କୃଷକ ମୋର୍ଚ୍ଚା । ଆଜି ହରିୟାଣାରୁ ଟ୍ରାକ୍ଟର ରାଲିରେ ବାହାରିବେ ହଜାର ହଜାର କୃଷକ । କୃଷି ନେତା ଗୁରୁନାମ ଚଢୁନୀଙ୍କ ଆହ୍ୱାନରେ ଟ୍ରାକ୍ଟର ରାଲି ଆରମ୍ଭ କରାଯାଇଛି । ତେବେ ଶାନ୍ତିପୂର୍ଣ୍ଣ ଭାବେ ଏହା ମାର୍ଚ୍ଚ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ଚାଷୀ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ସୀମାନ୍ତରେ ବେପାର ମାନ୍ଦା

ଅନ୍ୟପଟେ 'ଦିଲ୍ଲୀ ଚଲୋ ' ଡାକରାରେ ଏବେବି ହଜାର ହଜାର ଚାଷୀ ଶମ୍ଭୁ ସୀମାନ୍ତରେ ରହିଛନ୍ତି । ହରିୟାଣା ଏବଂ ପଞ୍ଜାବ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ, ହରିୟାଣାରେ ମୋବାଇଲ ଇଣ୍ଟରନେଟ କଟକଣାକୁ ବଢ଼ାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଆନ୍ଦୋଳନ ସମୟରେ ଜଣେ ସବ-ଇନ୍ସପେକ୍ଟର ଓ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ହୃଦଘାତ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଦିଲ୍ଲୀ ସୀମାଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ୟାରିକେଡ କରାଯିବା ସହ ସିକ୍ୟୁରିଟି ଫୋର୍ସ ନିୟୋଜିତ ଅଛନ୍ତି । ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି ।

ଏବେସୁଦ୍ଧା କୃଷକ ଓ ସରକାରଙ୍କ ମଧ୍ୟରେ 3 ଥର ଆଲୋଚନା ସରିଥିଲେ ମଧ୍ୟ ବିଶେଷ ସଫଳତା ମିଳିପାରିନାହିଁ । ଆସନ୍ତାକାଲି (ରବିବାର) କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଉ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଚତୁର୍ଥ ବୈଠକରେ କୃଷକମାନଙ୍କ ପାଇଁ କିଛି ସକରାତ୍ମକ ଖବର ଆସିପାରେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details