ଓଡିଶା

odisha

ETV Bharat / bharat

ଅଷ୍ଟମ ଦିନରେ କୃଷକଙ୍କ ଆନ୍ଦୋଳନ; ଆସନ୍ତାକାଲି 'ଦିଲ୍ଲୀ ଚଲୋ' ମାର୍ଚ୍ଚ - କୃଷକ ଆନ୍ଦୋଳନ

Farmer Delhi Chalo March: ଅଷ୍ଟମ ଦିନରେ ପହଞ୍ଚିଛି କୃଷକଙ୍କ 'ଦିଲ୍ଲୀ ଚଲୋ' ଆନ୍ଦୋଳନ । ଚତୁର୍ଥ ପର୍ଯ୍ୟାୟ ବୈଠକ ଫେଲ୍ ପରେ ପୁଣି ଦିଲ୍ଲୀ ମୁହାଁ ହଜାର ହଜାର ଚାଷୀ । ଅଧିକ ପଢନ୍ତୁ,

Farmer Delhi Chalo March
ଚାଷୀଙ୍କ 'ଦିଲ୍ଲୀ ଚଲୋ' ଆହ୍ୱାନ

By ETV Bharat Odisha Team

Published : Feb 20, 2024, 10:44 AM IST

ନୂଆଦିଲ୍ଲୀ: ଅଷ୍ଟମଦିନରେ ପହଞ୍ଚିଲା ଚାଷୀଙ୍କ 'ଦିଲ୍ଲୀ ଚଲୋ' ଆହ୍ୱାନ । MSP ଗ୍ୟାରେଣ୍ଟି ଆଇନ ସମେତ ବିଭିନ୍ନ ଦାବି ନେଇ ନିଜ ଜିଦରେ ଅଟଳ ଚାଷୀ । ବୈଠକ ପରେ ବୈଠକ କରାଯାଇ ଘନ ଘନ ଆଲୋଚନା ବି ଫେଲ ମାରୁଛି । ଚତୁର୍ଥ ପର୍ଯ୍ୟାୟ ବୈଠକରେ ସରକାର ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ପୁଣି ଆନ୍ଦୋଳନ ମୁହାଁ ହୋଇଛନ୍ତି କୃଷକ ସଂଗଠନ । ଫେବ୍ରୁଆରୀ 21 ଅର୍ଥାତ ଆସନ୍ତାକାଲି(ବୁଧବାର) କୃଷକ ସଂଗଠନ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ଆଜି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଚାଷୀ ନେତା ସରଓ୍ୱନ ସିଂହ ପାଣ୍ଢେର । ଚାଷୀମାନଙ୍କୁ ଦିଲ୍ଲୀ ଯିବାକୁ ଦିଆଯାଉନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, "କୌଣସି ପରିସ୍ଥିତିରେ ଯେପରି ଦିଲ୍ଲୀ ଭିତରେ ଚାଷୀମାନଙ୍କୁ ପୂରାଇ ଦିଆନଯିବ ସେନେଇ ସରକାର ଯୋଜନା କରୁଛନ୍ତି । ଫେବ୍ରୁଆରୀ 13ରେ ଦିଲ୍ଲୀ ଚଲୋ ଆହ୍ୱାନ ଦେବା ପରେ ହରିୟାଣାରେ ବ୍ୟାରିକେଡ କରାଯାଇ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ହରିୟାଣାରେ ପାଖାପାଖି 15 ହଜାରରୁ ଅଧିକ ସୁରକ୍ଷା ଫୋର୍ସ ମୁତୟନ କରାଯାଇଛି । ଆନ୍ଦୋଳନ ବେଳେ ଆମ ଟ୍ରାକ୍ଟରର ଟାୟାର ଉପରକୁ ବୁଲେଟ ଫାୟାର କରାଯାଇଥିଲା । ଚାଷୀମାନଙ୍କ ଉପରେ ରବର ବୁଲେଟ ଓ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଉଛି । ଜମ୍ମୁ କାଶ୍ମୀର ଯେଉଁଭଳି ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି ସେହିଭଳି ହରିୟାଣା ଅବସ୍ଥା ରହିଛି । "

ସେ ଆଉ ମଧ୍ୟ କହିଛନ୍ତି, " ଯଦି ଆମକୁ ସରକାର ଏଭଳି ଅଟକାଇବାକୁ ଚେଷ୍ଟା କରିବେ ତେବେ ଆମେ ଭିନ୍ନ ଉପାୟ ଆପଣାଇ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିବୁ । ଏହାର ପରିଣାମ ଯାହା ହେବ ସରକାର ସେଥିପାଇଁ ଦାୟୀ ରହିବେ ।"

ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରର ପ୍ରସ୍ତାବକୁ କୃଷକ ସଂଗଠନର ପ୍ରତ୍ୟାଖାନ, ବୁଧବାରରୁ ବ୍ୟାପକ ହେବ ଆନ୍ଦୋଳନ

ଏମଏସପି ଅନ୍ୟାନ୍ୟ ଦାବି ସମ୍ପର୍କରେ ସରକାର ଓ କୃଷକଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । ସରକାର ଆଗମୀ 5 ବର୍ଷ ପାଇଁ 5ଟି ନିର୍ଦ୍ଦିଷ୍ଟ ଫସଲ ପାଇଁ ଏମଏସପି ଉପରେ ଗ୍ୟାରେଣ୍ଟି ଦେବାକୁ କୃଷକ ସଂଗଠନ ସାମ୍ନାରେ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । କୃଷକଙ୍କ ତରଫରୁ କୁହାଯାଇଛି ଯେ ସେମାନେ ବର୍ତ୍ତମାନ 21 ତାରିଖରେ ପୁଣି 'ଦିଲ୍ଲୀ ଚାଲ୍ଲୋ' ମାର୍ଚ୍ଚ ଆରମ୍ଭ କରିବେ ।

ସରକାର ପ୍ରସ୍ତାବରେ କହିଛନ୍ତି ଯେ, ଆଗାମୀ 5 ବର୍ଷ ପାଇଁ ଏମଏସପି ଅଧିନରେ ମକା, ଟୁର, ଅରହର, ଉଡୁଦ ଓ କପା ଫସଲ କିଣାଯିବ । ଏନେଇ NCCF ଓ NAFED ପରି ସମବାୟ ସମିତି କୃଷକମାନଙ୍କ ସହିତ ଚୁକ୍ତି କରିବେ । କ୍ରୟ ଉପର କୌଣସି ନିର୍ଦ୍ଦିଷ୍ଟ ସୀମା ରହିବ ନାହିଁ । ଏହି ପ୍ରକ୍ରିୟା ପାଇଁ ଏକ ପୋର୍ଟାଲ ମଧ୍ୟ ଶୀଘ୍ର ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେବ । ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ହେଲେ ଏହାକୁ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ସେମାନେ ଅସ୍ଥାୟୀ ଭାବେ ନୁହେଁ ବରଂ ଫସଲ ଉପରେ ଏମ୍‌ଏସଏପି ଆକ୍ଟ ପାଇଁ ଜିଦ ଧରିଛନ୍ତି । ଆଉ ମଧ୍ୟ ସ୍ୱାମୀନାଥନ ଆୟୋଗର ସୁପାରିଶ, କୃଷି ଋଣ ଛାଡ ପାଇଁ ମଧ୍ୟ ଦାବି କରିଛନ୍ତି ।

13 ତାରିଖରେ ଉତ୍ତର ଭାରତର ଏକାଧିକ କୃଷକ ସଂଗଠନର ପ୍ରାୟ ଲକ୍ଷାଧିକ ସଦସ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ପୋଲିସ ସେମାନଙ୍କୁ ରୋକିବା ପରେ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଏବେ ମଧ୍ୟ କୃଷକମାନେ ଜାତୀୟ ରାଜପଥରେ ତମ୍ବୁ ଟାଣି ଧାରଣା ଦେଇଛନ୍ତି । ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ବାରମ୍ବାର ଉଦ୍ୟମ ମଧ୍ୟ କରୁଛନ୍ତି । ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ଜାତୀୟ ରାଜପଥ ଓ ସିଙ୍ଗୁ, ଟିକିରି ବର୍ଡରରେ ହାଇଆଲର୍ଟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details