ଶ୍ରୀନଗର:କିଛି ଦିନର ବ୍ୟବଧାନ ମଧ୍ୟରେ କାଶ୍ମୀରରେ ପୁଣି ଏନକାଉଣ୍ଟର । ଦକ୍ଷିଣ କାଶ୍ମୀରର ପୁଲଓ୍ବାମା ଜିଲ୍ଲାର ନିହାମା ଅଞ୍ଚଳର ଆଜି ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଆତଙ୍କୀ ଗତିବିଧି ନେଇ ଇନପୁଟ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମିଳିତ ଅପରେସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ରଖାଯାଇଛି । ଅପରେସନ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ଟ୍ବିଟ୍ କରି ସୂଚନା ଦେଇଛି । ପ୍ରାୟ ଦୁଇ ଜଣ ଆତଙ୍କୀ ସ୍ଥାନୀୟ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ପୁରା ଏରିଆ ଏବେ କର୍ଡନ କରାଯାଇଛି ।
ଏହା ପୂର୍ବରୁ ମଧ୍ୟ ନିକଟରେ ଆତଙ୍କୀ ହମଲା ହେବା ପରେ ଏନକାଉଣ୍ଟରେ ହେବାର ନଜିର ରହିଛି । ଚଳିତ ମେ ୪ତାରିଖରେ ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ବାୟୁସେନା ଗାଡି ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ହଠାତ୍ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳିମାଡ଼ କରିଥିଲେ । ଏଥିରେ 5 ଜଣ ଯବାନଙ୍କୁ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଆହତମାନଙ୍କୁ ଉଦ୍ଧମପୁରକୁ ଏୟାରଲିଫ୍ଟ କରାଯାଇଥିଲା । ସେଠି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ଆଖି ବୁଜିଥିଲେ । 4 ଆହତ ଯବାନଙ୍କ ଚିକିତ୍ସା ଜାରି ରହିଛି । ଚଳିତ ବର୍ଷ ବାୟୁସେନା କନଭୟ ଉପରେ ଏହା ବଡ଼ଧରଣର ଆକ୍ରମଣ ବୋଲି କୁହାଯାଉଛି । ଏହି ଆକ୍ରମଣ ପରେ ଭାରତୀୟ ସେନା ଓ ପୋଲିସଙ୍କୁ ଆଲର୍ଟ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ସହ ଏନକାଉଣ୍ଟର ମଧ୍ୟ ହୋଇଥିଲା ।