ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଲା ଇଡି ଟିମ୍ । ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ପୁଣି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଏହା ପୂର୍ବରୁ ଜାନୁଆରୀ 27 ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ସମନ ଜାରି କରାଯାଇଥିଲା । ଜାନୁଆରୀ 29 ରୁ 31 ତାରିଖ ମଧ୍ୟରେ ଜେରା ପାଇଁ ଏକ ସମୟ ନିର୍ଦ୍ଧାରଣ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା ।
ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାକୁ ନେଇ ଅଡୁଆରେ ଫସିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ସୁପ୍ରିମୋ ହେମନ୍ତ ସୋରେନ । ଏହି ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ 10 ଥର ସମନ ଜାରି କରାଯାଇଛି । ଜାନୁଆରୀ 20 ତାରିଖ ଦିନ ଏହି ମାମଲାରେ ପ୍ରଥମ ଥର ପାଇଁ ପାଖାପାଖି 7 ଘଣ୍ଟା ଧରି ସୋରେନଙ୍କ ରାଞ୍ଚି ସ୍ଥିତ ବାସଭବନରେ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେମନ୍ତଙ୍କୁ ଜେରା କରିବା ପରେ ସନ୍ଧ୍ୟା ସମୟରେ ଇଡି ତାଙ୍କ ବାସଭବନ ଛାଡିଥିଲା । ବାସଭବନ ବାହାରେ ଶତାଧିକ ସମର୍ଥକ ନାରାବାଜି କରୁଥିବା ବେଳେ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ । ସେ କୌଣସି ଦୁର୍ନୀତିରେ ସାମିଲ ନଥିବା ନେଇ ନିଜ ସମର୍ଥକମାନଙ୍କୁ କହିବା ସହ ପରୋକ୍ଷରେ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଥିଲେ ।
ଏହାମଧ୍ୟ ପଢନ୍ତୁ..ହେମନ୍ତ ସୋରେନଙ୍କୁ ପୁଣି ଇଡି ସମନ, 27ରୁ 31 ମଧ୍ୟରେ ହାଜର ପାଇଁ ନିର୍ଦ୍ଦେଶ