ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା । ତାଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିବା ବେଳେ ତାଙ୍କୁ ଝଟକା ମିଳିଛି । ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ପାଇଁ ମନା କରିବା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)କୁ ଜବାବ ମାଗିଛନ୍ତି । ଏପ୍ରିଲ 22 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଜଷ୍ଟିସ ସୁରେଶ କୁମାର କାଇତ ଏବଂ ମନୋଜ ଜେନ୍ଙ୍କ ଦ୍ବାରା ଗଠିକ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
କୋର୍ଟରେ ପ୍ରମାଣ ଉପସ୍ଥାପନ କଲା ଇଡି: ଆଜି କେଜ୍ରିଓ୍ବାଲଙ୍କୁ ଇଡିରେ ହାଜର ପାଇଁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଥିଲେ କେଜ୍ରିଓ୍ବାଲ । ଆଜି ହାଇକୋର୍ଟରେ ଏହାର ଶୁଣାଣି ହୋଇଥିଲା । ତେବେ ଇଡି କୋର୍ଟରେ ନିଜର ପକ୍ଷ ରଖିଛି । କେଉଁ ଆଧାରରେ ଇଡି କେଜ୍ରିଓ୍ବାଲଙ୍କୁ ପଚରାଉଚରା କରୁଛି ସେନେଇ ସମସ୍ତ ତଥ୍ୟ ପ୍ରଦାନ କରିଥିଲା । ତେବେ ବାରମ୍ବାର ସମନ ଜାରି କରିବା ସତ୍ତ୍ବେ ମଧ୍ୟ ବାହାନା କରି କେଜ୍ରିଓ୍ବାଲ ସମନକୁ ଏଡାଉଥିବା ନେଇ କୋର୍ଟ ପକ୍ଷରୁ କୁହାଯାଇଛି । ଇଡିର ପକ୍ଷ ଏବଂ ସମସ୍ତ ପ୍ରମାଣକୁ ଆଧାର କରି ଶୁଣାଣି କରିଥିଲେ ହାଇକୋର୍ଟ । ତେବେ ଆମେ ଉଭୟଙ୍କ ପକ୍ଷ ଶୁଣିଛୁ ଏବଂ ଅନ୍ତରୀଣ ସୁରକ୍ଷା ପାଇଁ ଆମେ ରାଜି ନାହୁଁ ବୋଲି କହିଛନ୍ତି କୋର୍ଟ । ଏହାସହ ଇଡି ସମନର ପ୍ରତି ଉତ୍ତରରେ ହାଜର ହେବା ପାଇଁ କହିଛନ୍ତି ।
ଅଧିକ ପଢନ୍ତୁ: EDର ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଆଶଙ୍କା; ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ