ଚେନ୍ନାଇ: ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ କରିବ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା 'ଫେଙ୍ଗାଲ' । ପୁଡୁଚେରୀ ନିକଟ କରାଇକାଲ୍ ଏବଂ ମହାବଳିପୁରମ୍ ମଧ୍ୟରେ 'ଫେଙ୍ଗାଲ' ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଏହା ଘଣ୍ଟା ପ୍ରତି 12 କିମି ବେଗରେ ଗତି କରୁଛି । ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଲାଗି ରହିଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି 70ରୁ 80 କିମି ରହିବ । ଏହି ବେଗ 90 କିମି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ବର୍ତ୍ତମାନ ଏହା ପୁଡୁଚେରୀ ପୂର୍ବରୁ 150 ଦୂରରେ ଘନିଭୂତ ହୋଇଥିବା ବେଳେ ଚେନ୍ନାଇର ଦକ୍ଷିଣ-ପୂର୍ବର 140 କିମି, ନାଗପାଟିନମ ଉତ୍ତର-ପୂର୍ବରେ 310 କିମି, ତ୍ରିନକୋମାଲି ଠାରୁ 400 କିମି ଦୂରରେ ଘନିଭୂତ ହୋଇଛି ।
4 ଜିଲ୍ଲାରେ ସ୍କୁଲ-କଲେଜ ଛୁଟି: ବାତ୍ୟା ପ୍ରଭାବାରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏଥି ପାଇଁ ଚେନ୍ନାଇ, ଚେଙ୍ଗଲପେଟ୍, ତିରୁଭାଲୁର, ଏବଂ କାଞ୍ଚିପୁରାମରେ ଥିବା ସ୍କୁଲ ଏବଂ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ତାମିଲନାଡୁ ସରକାର ମଧ୍ୟ ମାୟିଲାଦୁଥୁରାଇ, କୁଡାଲୋର, ଭିଲୁପୁରମ୍ ଏବଂ କାଲାକୁରିଚିର ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦେଖି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ବାତ୍ୟା ରୂପ ନେଇପାରେ ଗଭୀର ଅବପାତ, ପୁରୀ-ଗଞ୍ଜାମ-ଗଜପତିରେ ବର୍ଷା: IMD