ନୂଆଦିଲ୍ଲୀ:କେନ୍ଦ୍ର କ୍ୟାବିନେଟ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଭବନରେ ଅଜଣା ଜନ୍ତୁ ବୁଲିବା ଭିଡିଓ ଭାଇରାଲ ହେବା ଘଟଣାରେ ସ୍ପଷ୍ଟୀକରଣ ରଖିଛି ଦିଲ୍ଲୀ ପୋଲିସ । ଏହା ଅଜଣା କିମ୍ବା ବନ୍ୟୁଜନ୍ତୁ ନୁହେଁ, ବରଂ ସାଧାରଣ ବିରାଡି ପ୍ରଜାତିର ଜନ୍ତୁ ବୋଲି ଦିଲ୍ଲୀ ପୋଲିସ କହିଛି । ଗଣମାଧ୍ୟମରେ ପ୍ରସାରିତ ଖବରକୁ ମିଥ୍ୟା ଓ ଗ୍ରହଣ ନକରିବା ପାଇଁ ମଧ୍ୟ ପୋଲିସ ଟ୍ବିଟ୍ କରି ପରାମର୍ଶ ଦେଇଛି ।
ଦିଲ୍ଲୀ ପୋଲିସ ‘ଏକ୍ସ’ରେ ଟ୍ବିଟ୍ କରି କହିଛି, ‘‘ କିଛି ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହୋଇଛି । କିଛି ସାମାଜିକ ଗଣମାଧ୍ୟମରେ ଶପଥ ଗ୍ରହଣ ସମାରୋହରେ ରାେଷ୍ଟ୍ରପତି ଭବନ ପରିସରରେ ଅଜଣା ଜନ୍ତୁ ବୁଲୁଥିବାର ଖବର ପ୍ରସାରିତ ହୋଇଥିଲା । ଏହା ଭୁଲ, ଏହା ଏକ ସାଧାରଣ ବିରାଡି ପ୍ରଜାତିର ଜନ୍ତୁ, ଯାହା ସାଧାରଣତଃ ଘର ନିକଟବର୍ତ୍ତୀ ସ୍ଥାନରେ ଦେଖିବାକୁ ମିଳିଥାନ୍ତି । ତେଣୁ ଏପରି ଖବରକୁ ଗ୍ରହଣ କରନ୍ତୁନାହିଁ ।’’
ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ସମୟରେ ସିଧାପ୍ରସାରଣ ଜାରି ରହିଥିବାବେଳେ ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଜଣେ ମନ୍ତ୍ରୀ ଶପଥ ଗ୍ରହଣ କରୁଥିବା ବେଳେ ଏହି ଜନ୍ତୁଟି ପଛପଟ ଦେଇ ଅତିକ୍ରମ କରୁଥିବା ଦେଖାଯାଇଥିଲା । ଏହି ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଥିଲା । ରାଷ୍ଟ୍ରପତି ଭବନ ପରି ସମ୍ବେଦନଶୀଳ ସ୍ଥାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଏପରି ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ସୋସିଆଲ ମିଡିଆ ୟୁଜର୍ସ ।