ରାୟପୁର:ଚାଲିଛି ନକ୍ସଲ ବିରୋଧୀ ଅଭିଯାନ । ନକ୍ସଲ ଦମନ ପାଇଁ ଜାରି ରହିଛି ଯବାନଙ୍କ ସର୍ଚ୍ଚ ଅପରେସନ । ସେପଟେ ଯବାନଙ୍କୁ ନିଶାନା କରି ଜଙ୍ଗଲ ମଝିରେ 'ସ୍ପାଇକ ହୋଲ୍' କରିଛନ୍ତି ମାଓବାଦୀ । ଛତିଶଗଡ଼ର ବକ୍ସର ଜିଲ୍ଲାରେ ୨୦ଟି 'ସ୍ପାଇକ ହୋଲ୍'ର ପର୍ଦ୍ଦାଫାସ ହୋଇଛି । ଜଙ୍ଗଲ ମଝି ଦେଇ ଯିବା ଆସିବା କରିବାକୁ ଥିବା ରାସ୍ତାରେ ଗାତ ଖୋଳି ସେଥିରେ ଧାରୁଆ ଅସ୍ତ୍ର ଖଞ୍ଜାଯାଏ । ଯାହାକୁ 'ସ୍ପାଇକ ହୋଲ୍' ବୋଲି କୁହାଯାଇଥାଏ ।
ଅନେକ ସମୟରେ ସର୍ଚ୍ଚ ଅପରେସନ କରୁଥିବା ଯବାନମାନେ ଏହି 'ସ୍ପାଇକ ହୋଲ୍'କୁ ଦେଖି ପାରିନଥାନ୍ତି । ଫଳରେ ସେହି ଗାତ ମଝିରେ ତାଙ୍କର ଗୋଡ଼ ଫସି ଯାଇଥାଏ । ଆଉ ଗାତରେ ଲାଗିଥିବା ସ୍ପାଇକ୍ ବା ଧାରୁଆ ଅସ୍ତ୍ର ଦ୍ୱାରା ଯବାନଙ୍କ ଗୋଡ଼ରେ ଆଘାତ ମଧ୍ୟ ଲାଗିଥାଏ । ଖାଲି ସେତିକି ନୁହେଁ, ଅନେକ ସମୟରେ ସେହି ଗାତ ଭିତରେ ନକଲି ପ୍ରେସର ବୋମା ମଧ୍ୟ ଖଞ୍ଜିଥାନ୍ତି ମାଓବାଦୀ । ଯବାନମାନେ ଯେତେବେଳେ ଏହି 'ସ୍ପାଇକ ହୋଲ୍'ରେ ଫସିଯାଆନ୍ତି ସେତେବେଳେ ଚାରିପଟୁ ଘେରାବନ୍ଦୀ କରି ସହଜରେ ଆକ୍ରମଣ କରିଥାନ୍ତି ମାଓବାଦୀ । ସୂଚନା ଅନୁସାରେ, ଗତ ୩୦ ତାରିଖରେ ବିଜାପୁର ସୀମାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୩ ଜଣ ଯବାନ ଶହୀଦ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ...ବୌଦ୍ଧ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଘୋଷଣା ଦାବି