ହାଇଦ୍ରାବାଦ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯିବ । ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରିବା ନେଇ ଘୋଷଣା କରିଥିବା ବେଳେ ସେମାନଙ୍କ ମଧ୍ୟରେ ଚରଣ ସିଂ ସାମିଲ ଅଛନ୍ତି । କୃଷି ନେତା ଭାବେ ଚରଣ ସିଂ ବେଶ ଜଣାଶୁଣା ଥିଲେ । ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଭାବେ ସେ ଦେଶସେବା କରିଥିଲେ । ତାଙ୍କ ରାଜନୈତିକ କ୍ୟାରିଅର ବେଶ ସଫଳ ଥିଲା । ସେ ଅତି ସରଳ ଜୀବନଯାପନ କରୁଥିଲେ । ଏପରିକି ଚାଲି ଚାଲି ଯାଉ ବିଧାନସଭା ଯିବା ଆସିବା କରୁଥିଲେ ।
ଆସନ୍ତୁ ଜାଣିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ:-
ରାଜନୈତିକ କ୍ୟାରିଅର:-୧୯୦୨ ଡିସେମ୍ବର ୨୩ ତାରିଖରେ ଉତ୍ତରପ୍ରଦେଶ ନୁରପୁର ଜିଲ୍ଲା ମେରଟରେ ଜନ୍ମଗ୍ରହଣ କରିଥିଲେ । ସ୍ବାଧୀନତା ଆନ୍ଦୋଳନ ସହିତ ଚରଣଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ସ୍ବାଧୀନତା ପୂର୍ବରୁ ସେ ଉତ୍ତରପ୍ରଦେଶର ଛତ୍ରବାଲି ବିଧାନସଭା ଆସନରୁ ପ୍ରାୟ ୯ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଜିତିଥିଲେ । ଦେଶ ସ୍ବାଧୀନତା ପାଇବା ପରେ ସେ ୧୯୫୨, ୧୯୬୨ ଓ ୧୯୬୭ରେ ପୁଣି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ । ଡଃ ସମ୍ପୂର୍ଣ୍ଣା ନନ୍ଦ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାଙ୍କ ସରକାରରେ ଚରଣ ସିଂ ୧୯୫୨ରେ ରାଜସ୍ବ ଓ କୃଷି ବିଭାଗର ଦାୟିତ୍ବ ସମ୍ଭାଳିଥିଲେ । ୧୯୬୦ରେ ଚନ୍ଦ୍ରଭାନୁ ଗୁପ୍ତାଙ୍କ ସରକାରରେ ତାଙ୍କୁ ଗୃହ ଓ କୃଷି ବିଭାଗର ଦାୟିତ୍ବ ମିଳିଥିଲା । ଚୌଧୁରୀ ଚରଣ ସିଂଙ୍କ ଏହାପରେ ୨ଥର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ପ୍ରଥମ କାର୍ଯ୍ୟକାଳ ୩ ଏପ୍ରିଲ ୧୯୬୭ରୁ ୨୫ ଫେବୃଆରୀ ୧୯୬୮, ଦ୍ବିତୀୟ କାର୍ଯ୍ୟକାଳ ଫେବୃଆରୀ ୧୮ ୧୯୭୦ରୁ ଅକ୍ଟୋବର ୧ ୧୯୭୦ ଓ ତୃତୀୟ କାର୍ଯ୍ୟକାଳ ୨୮ ଜୁଲାଇ ୧୯୭୯ରୁ ୧୪ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ ଥିଲା । ଏହାପରେ ସେ ୧୯୭୯ ଜୁଲାଇ ୨୮ରୁ ୧୯୮୦ ଜାନୁଆରୀ ୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । ସେ ମାତ୍ର ୫ମାସ ଲାଗି ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ ।
ଏହା ବି ପଢନ୍ତୁ- 'ଭାରତ ରତ୍ନ' ଆଡଭାନୀ; ସଂଘର୍ଷରୁ ସଫଳତା ପୁଣି ବିବାଦ ଯାଏଁ, ଜାଣନ୍ତୁ ଆଡଭାନୀଙ୍କ ଜୀବନୀ