ଓଡିଶା

odisha

ETV Bharat / bharat

ଭାରତର ବୋହୂ ହେଲେ ଇଣ୍ଡୋନେସିଆ ଯୁବତୀ; ବିହାର ଯୁବକଙ୍କ ଧରିଲେ ହାତ - ଦେଶୀ ବରକୁ ବିଦେଶୀ କନିଆ

Indonesian Girl Married Bihari Boy: ବିହାରୀ ବରକୁ ଇଣ୍ଡୋନେସିଆ କନିଆ । ଏଭଳି ନିଆରା ବିବାହ ବିହାରର ପରସୋନି ଗାଁରେ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Feb 4, 2024, 10:59 PM IST

ଦେଶୀ ବରକୁ ବିଦେଶୀ କନିଆ ; ବିହାରର ପରସୋନି ଗାଁରେ ନିଆରା ବିବାହ

ପାଟନା: କଥାରେ ଅଛି ପ୍ରେମ ଦେଖେନି ଜାତି, ଧର୍ମ ଅବା ଧନଦୌଲତ । ପ୍ରେମରେ ଯଦି ସତ୍ୟତା ଥାଏ ତେବେ ପ୍ରେମୀ ଯୁଗଳଙ୍କ ମିଳନ ଅବଶ୍ୟମ୍ଭାବୀ । ଏପରି କିଛି ଘଟିଛି ହର୍ଷବର୍ଦ୍ଧନ ଓ ସୋଇଲ୍ଲିନାଙ୍କ କ୍ଷେତ୍ରରେ । ଉଭୟଙ୍କ ମଧ୍ୟରେ ଥିବା ସାତ ସମୁଦ୍ରର ଦୂରତାକୁ ଅତିକ୍ରମ କରି ଉଭୟ ହୋଇଛନ୍ତି ପରିଣୟ ସୂତ୍ରରେ ଆବଦ୍ଧ । ତେବେ ଏହି ବିବାହ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବିହାରର ଚମ୍ପାରଣ ଜିଲ୍ଲାର ଯୁବକ ହର୍ଷବର୍ଦ୍ଧନ କୁମାର ତାଇୱାନରେ ପୋଷ୍ଟ ଡକ୍ଟରାଲ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ଇଣ୍ଡୋନେସିଆର ଯୁବତୀ ସୋଇଲ୍ଲିନା ମୋନାକ ସିଲାବନ ଗ୍ଲୋବାଲ ଫାଇନାନ୍ସରେ ଏମଏସ କରୁଥିଲେ ।

ହର୍ଷବର୍ଦ୍ଧନ କହିବା ମୁତାବକ ଉଭୟଙ୍କ ସେଠାରେ ପରସ୍ପର ସହିତ ଦେଖାସାକ୍ଷାତ ହୋଇଥିଲା । ପ୍ରଥମେ ବନ୍ଧୁତା ସ୍ଥାପନ ଏବଂ ପରେ ପ୍ରେମରେ ପଡିଥିଲେ ଉଭୟ । ଉଭୟଙ୍କ ପରିବାରବର୍ଗ ଜାଣିବାପରେ ଏହି ସମ୍ପର୍କକୁ ନେଇ ରାଜି ନ ଥିଲେ । ଅନେକ ବୁଝାଇବା ପରେ ପରିବାରବର୍ଗ ବାହାଘର ପାଇଁ ରାଜି ହୋଇଥିଲେ । ୨୦୧୮ରୁ ମାର୍ଚ୍ଚ ୨୦୨୧ ଯାଏଁ ତାଇୱାନରେ ସେ ରହିଥିଲେ । ୨୦୨୧ରେ ଭାରତ ଆସି ଜୟପୁରରେ ଏଲଏନଏମ ଆଇଆଇଟିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଚାକିରୀରେ ଯୋଗଦାନ କଲେ ଏବଂ ଉଭୟ ମାର୍ଚ୍ଚ ୨୦୨୩ରେ ପ୍ରଥମେ ଇଣ୍ଡୋନେସିଆରେ ବିବାହ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...ରାଜକନିକାରେ କଙ୍ଗାରୁ କୋର୍ଟ ! ଭିନ୍ନ ଜାତିରେ ବିବାହ କାରଣରୁ ବାସନ୍ଦ ପରିବାର

ହର୍ଷ ବର୍ଦ୍ଧନ କହିଛନ୍ତି ଯେ " ମୁଁ ସୋଇଲ୍ଲିନାଙ୍କୁ ହିନ୍ଦୁ ରୀତିନୀତି ଓ ପରମ୍ପରା ସହିତ ପରିଚିତ କରାଇବାକୁ ଚାହୁଁଥିଲି । ଏଥି ପାଇଁ ଆମେ ଗାଁ କୁ ଆସି ବୈଦିକ ରୀତି ମୁତାବକ ବିବାହ କଲୁ । ସୋଇଲ୍ଲିନା ମଧ୍ୟ ଏହାକୁ ନେଇ ବେଶ ଖୁସି ଅଛନ୍ତି ।"ସେହିପରି ବିଦେଶୀ ବୋହୁ ସୋଇଲ୍ଲିନା ମଧ୍ୟ କହିଛନ୍ତି ଯେ " ଭାରତର ସଂସ୍କୃତି ଏବଂ ଲୋକ ମାନେ ବହୁତ ଭଲ । ମୁଁ ସ୍ପଷ୍ଟ ହିନ୍ଦୀ ବୁଝି ପାରେନି କିନ୍ତୁ କିଛି କିଛି ଶବ୍ଦ ବୁଝିପାରେ । " ସେହିପରି ହର୍ଷଙ୍କ ମାତାପିତା ଏହି ବିବାହକୁ ନେଇ ବେଶ ଖୁସି ଅଛନ୍ତି ।

ସୂଚନାଯୋଗ୍ୟ ଯେ ହର୍ଷଙ୍କ ଘର ବିହାରର ପରସୋନି ଗାଁରେ ହୋଇଥିବା ବେଳେ ସୋଇଲ୍ଲିନା ଇଣ୍ଡୋନେସିଆର ସୁମାତ୍ରା ରାଜ୍ୟର ସିବୋରୋଗବୋରୋଗା ଅଞ୍ଚଳର ନିବାସୀ ଅଟନ୍ତି । ହର୍ଷଙ୍କ ପୈତୃକ ଗ୍ରାମରେ ଗତ ଗୁରୁବାର ଦିନ ଉଭୟଙ୍କ ଭାରତୀୟ ରୀତିନୀତିରେ ବିବାହ ହୋଇଥିବା ବେଳେ ଶୁକ୍ରବାର ରିସେପସନ ରହିଥିଲା । ଏହି ନିଆରା ବିବାହରେ ଆଖପାଖ ଗାଁ ରୁ ଲୋକମାନେ ଯୋଗ ଦେଇଥିଲେ । ଏହି ଅବସରରେ ସୋଇଲ୍ଲିନାଙ୍କ ମାଆ ମଧ୍ୟ ଉପସ୍ଥିତ ଥିଲେ । ଗୁରୁଜନମାନେ ସେମାନଙ୍କ ମଙ୍ଗଳମୟ ବୈବାହିକ ଜୀବନର ଆଶୀର୍ବାଦ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details