ନୂଆଦିଲ୍ଲୀ:ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି (ସପା) ମଧ୍ୟରେ ଗତ କିଛି ଦିନ ଧରି ଜାରି ରହିଥିବା ଆସନ ବୁଝାମଣା ବିବାଦର ଅନ୍ତ ଘଟିଛି । ରାଜ୍ୟରେ କଂଗ୍ରେସ ଓ ସପା ଏକାଠି ନିର୍ବାଚନ ଲଢିବା ନେଇ ‘ସପା’ ମୁଖ୍ୟ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି । ଅଖିଳେଶ କହିଛନ୍ତି, କୌଣସି ବିବାଦ ନାହିଁ । ଖୁବଶିଘ୍ର ସବୁକିଛି ସ୍ପଷ୍ଟ ହୋଇଯିବ । ମେଣ୍ଟରେ ଆସନ ବୁଝାମଣା ନେଇ କୌଣସି ବିବାଦ ନାହିଁ । ରାଜ୍ୟରେ ସପା ଓ କଂଗ୍ରେସ ମେଣ୍ଟରେ ହିଁ ନିର୍ବାଚନ ଲଢିବେ ।
ଅଖିଳେଶ ଏହି ସୂଚନା ଦେବା ସମୟରେ କୌଣସି ସିଟ ସେୟାରିଂ ତଥ୍ୟ ସାର୍ବଜନୀନ କରିନାହାନ୍ତି । କେବଳ ଖୁବଶିଘ୍ର ଏ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବା ନେଇ ସେ କହିଛନ୍ତି । ସପା କେତେ ଆସନରେ ଲଢିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଅଖିଳେଶ କହିଛନ୍ତି, ସମାଜବାଦୀ ପାର୍ଟି ଯେତେ ସମ୍ଭବ, ସେତେ ଅଧିକ ଆସନରେ ନିର୍ବାଚନ ଲଢିବାକୁ ଯାଉଛି । ଅଖିଳେଶଙ୍କ ପକ୍ଷରୁ ଗତକାଲି ସଂଧ୍ୟା ପର୍ଯ୍ୟନ୍ତ 15 ଆସନରେ ଲଢିବାକୁ କଂଗ୍ରେସକୁ ପ୍ରସ୍ତାବ ଦେଇଥିଲା । କଂଗ୍ରେସ ଏହି ପ୍ରସ୍ତାବ ଗ୍ରହଣ କରିବା ସହ ଅଖିଳେଶଙ୍କ ପ୍ରସ୍ତାବିତ କିଛି ଆସନରେ ପରିବର୍ତ୍ତନ ପାଇଁ ଦାବି କରିଥିବା ଜଣାପଡିଛି ।