ଭୋପାଳ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ମିଳିବ । ସାଧାରଣତଃ ପ୍ରତ୍ୟେକ ମଣିଷ ନିଜର ବିଧିବଦ୍ଧ ଶିକ୍ଷା ଗ୍ରହଣ କରି ଜୀବିକା ନିର୍ବାହକୁ ଆପଣାଇଥାଏ । କିନ୍ତୁ ନାତି ନାତୁଣୀ ସ୍କୁଲ ଯିବା ବୟସରେ ଜଣେ ୮୪ ବର୍ଷୀୟ ବୟସ୍କ ବ୍ୟକ୍ତି ନିଜର ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ପେଶାରେ ଆୟୁର୍ବେଦ ଚିକିତ୍ସକ ଥିବା ଡ. ପ୍ରକାଶ ଇଣ୍ଡିଆନ ଟାଟା ନିଜର ସ୍କୁଲ ଶିକ୍ଷା ଗ୍ରହଣ କରୁଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନ, ଶ୍ରୀଲଙ୍କାର କ୍ରିକେଟର ସନତ ଜୟସୁରିଆ ଓ ଅନେକ ରାଜନେତା ତଥା ବ୍ୟବସାୟୀମାନଙ୍କର ଚିକିତ୍ସା କରିଥିବା ନେଇ ଦାବି କରିଛନ୍ତି ପ୍ରକାଶ ।
ଡ. ପ୍ରକାଶ ଇଣ୍ଡିଆନ ଟାଟା କହିଛନ୍ତି, "ସେ କେବେ ବି ପାଠ ପଢିବା ପାଇଁ ସ୍କୁଲ ଯାଇନାହାଁନ୍ତି । କାରଣ ୫ ବର୍ଷର ହୋଇଥିବା ବେଳେ ସେ ନିଜର ଗୁରୁଙ୍କ ଅମରକଣ୍ଟକ ସ୍ଥିତ ଆଶ୍ରମକୁ ଯାଇଥିଲେ ଓ ସେ ଆୟୁର୍ବେଦ ସମ୍ବନ୍ଧରେ ୨୦ ବର୍ଷ ଧରି ଜ୍ଞାନ ଅର୍ଜନ କରିଥିଲେ । ଏହା ପରେ ସେ ଛିନ୍ଦୱାଡାର କୋୟଲାଞ୍ଚଳରେ ୪ ଟି ସ୍ଥାନରେ କ୍ଲିନିକ ଖୋଲି ଚିକିତ୍ସା ଆରମ୍ଭ କରିଥିଲେ ।"ଦେଶ ବିଦେଶରୁ ଅନେକ ଲୋକଙ୍କର ସେ ଚିକିତ୍ସା କରିଥିବା ନେଇ ଦାବି କରିଛନ୍ତି । ଶ୍ରୀଲଙ୍କାର ଷ୍ଟାର ବ୍ୟାଟ୍ସମ୍ୟାନ ସନତ ଜୟସୁରିଆଙ୍କ ଗୋଡରେ ଯନ୍ତ୍ରଣା ଥିଲା । ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ବି ସେ ସୁସ୍ଥ ହୋଇ ନଥିଲେ । ଏହା ପରେ ଭାରତୀୟ ପୂରବତନ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ପରାମର୍ଶ କ୍ରମେ ଜୟସୁରିଆ ଡ. ପ୍ରକାଶଙ୍କ ସହିତ ଯୋଗାଯୋଗ କରିଥିଲେ । ତାଙ୍କ ଚିକିତ୍ସା ପାଇଁ ଡ. ପ୍ରକାଶ ଶ୍ରୀଲଙ୍କା ଯାଇଥିଲେ ଓ ଜୟସୁରିଆ ଶେଷରେ ସୁସ୍ଥ ହୋଇଥିଲେ ବୋଲି କହିଛନ୍ତି ଡ. ପ୍ରକାଶ ।