ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା 4 ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଜଷ୍ଟିସ ସୁରେଶ କୁମାର କୈତ ଓ ମନୋଜ ଜୈନଙ୍କ ନେତୃତ୍ବାଧୀନ ଦୁଇଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ତଳକୋର୍ଟରେ ପାଇଥିବା ଦଣ୍ଡାଦେଶକୁ 4 ଦୋଷୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଅଭିଯୁକ୍ତମାନେ 14 ବର୍ଷରୁ ଅଧିକ ସମୟ ବିଚାର ବିଭାଗୀୟ ଜେଲରେ ସଜା କାଟିସାରିଥିବାରୁ ସେମାନଙ୍କୁ ବେଲ ପ୍ରଦାନ କରାଯାଉଥିବା କୋର୍ଟ କହିଛନ୍ତି । ଅଭିଯୁକ୍ତମାନେ କରିଥିବା ଆବେଦନର ଶୁଣାଣି ପ୍ରକ୍ରିୟା ଜାରି ରହିଥିବା ପର୍ଯ୍ୟନ୍ତ ସେମାନେ ବେଲରେ ରହିବା ନେଇ କୋର୍ଟ କହିଛନ୍ତି ।
ଗତବର୍ଷ (2023) ନଭେମ୍ବର 26 ତାରିଖରେ ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ ଅଭିଯୁକ୍ତ ରବି କାପୁର, ଅମିତ ଶୁକ୍ଳା,ବଲଜିତ ମଲ୍ଲିକ ଓ ଅଜୟ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାରେ ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀକୁ ମାତ୍ର 3 ବର୍ଷ ଜେଲଦଣ୍ଡ ମିଳିଥିଲା । ଏହାକୁ ସୌମ୍ୟାଙ୍କ ପରିବାର ସଦସ୍ୟ ସ୍ବାଗତ କରିଥିଲେ । ଏହାର କିଛି ସପ୍ତାହ ମଧ୍ୟରେ ସୌମ୍ୟାଙ୍କ ପିତାଙ୍କ ଦେହାନ୍ତ ମଧ୍ୟ ହୋଇଥିଲା । ହେଲେ ଦଣ୍ଡାଦେଶକୁ ଅଭିଯୁକ୍ତମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲା: 4 ଦୋଷୀଙ୍କୁ ଆଜୀବନ, ଜଣଙ୍କୁ 3 ବର୍ଷ ଜେଲ