ଲକ୍ଷ୍ମୌ:ପଞ୍ଜାବରେ ଗ୍ରେନେଡ୍ ଆକ୍ରମଣ, ଉତ୍ତରପ୍ରଦେଶରେ ଏନକାଉଣ୍ଟର । ପୋଲିସ ଚେକପଏଣ୍ଟ ଉପରେ ଗ୍ରେନେଡ ମାଡ ଘଟଣାରେ ସମ୍ପୃକ୍ତ ୩ ଖଲିସ୍ତାନୀ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ । ଆଜି (ସୋମବାର) ଉତ୍ତରପ୍ରଦେଶର ପିଲିଭିତରେ ଏସଟିଏଫ, ଉତ୍ତରପ୍ରଦେଶ ପୋଲିସ ଓ ପଞ୍ଜାବ ପୋଲିସ ମିଳିତ ଅପରେସନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।
୩ ଖଲିସ୍ତାନୀ ଆତଙ୍କବାଦୀ ନିହତ:
ଉତ୍ତରପ୍ରଦେଶ ପିଲିଭିତରେ ଏସଟିଏଫ ଓ ପଞ୍ଜାବ ପୋଲିସ ମିଳିତ ଅପରେସନରେ ବଡ ସଫଳତା । ସୋମବାର ୩ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ନିହତ କରିଛି ପୋଲିସ । ନିହତ ସମସ୍ତ ଆତଙ୍କୀ ପାକିସ୍ତାନ ପାଣ୍ଠି ଯୋଗାଉଥିବା ଖଲିସ୍ତାନ ଜିନ୍ଦାବାଦ ଫୋର୍ସ (Pak Sponsored Khalistan Zindabad Force) ହୋଇଥିବା ପଞ୍ଜାବ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଥାନା ଚେକପଏଣ୍ଟ ଆକ୍ରମଣ କରିଥିଲେ ଆତଙ୍କବାଦୀ:
୩ ଜଣ ଯାକ ପଞ୍ଜାବ ଗୁରଦାସପୁର ଜିଲ୍ଲାରେ ପୋଲିସ ଚେକ୍ ପଏଣ୍ଟ ଉପରେ ଗ୍ରେନେଡ ମାଡ କରି ଫେରାର ହୋଇଯାଇଥିଲେ । ପିଲିଭିତରେ ସେମାନେ ଲୁଚି ରହିଥିବା ନେଇ ପଞ୍ଜାବ ପୋଲିସ ଉତ୍ତରପ୍ରଦେଶ ପୋଲିସକୁ ଜଣାଇବା ପରେ ୟୁପି ପୋଲିସ, ଏସଟିଏଫ ସହାୟତାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପିଲିଭିତର ପୁରନପୁର ଅଞ୍ଚଳରେ ପୋଲିସ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ନିହତ ଆତଙ୍କବାଦୀମାନେ ଗୁରଦାସପୁରରେ ବାସ କରୁଥିବା ଗୁରବିନ୍ଦର ସିଂହ, ବିରେନ୍ଦ୍ର ସିଂହ (ରବି) ଓ ଜସପ୍ରିତ ସିଂହ(ପ୍ରତାପ ସିଂହ) । ଏନକାଉଣ୍ଟରରେ ଗୁଳି ବାଜିବା ପରେ ସମସ୍ତ ଆହତଙ୍କୁ ପୁରନପୁର ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଏମାନଙ୍କ ନିକଟରୁ ୨ଟି ଏକେ-୪୭ ରାଇଫଲ, ୨ଟି ପିସ୍ତଲ ଓ ବିପୁଳ ପରିମାଣରେ ଗୁଳିଗୋଳା ଜବତ ହୋଇଛି ।
ପିଲିଭିତ ଏସପି ଅଭିନାଶ ପାଣ୍ଡେୟ କହିଛନ୍ତି," ଏନକାଉଣ୍ଟରରେ ନିହତ ୩ ଆତଙ୍କବାଦୀ ପଞ୍ଜାବ ଗୁରଦାସପୁର ନିବାସୀ । ଏମାନେ ହେଉଛନ୍ତି ୨୫ ବର୍ଷୀୟ ଗୁରବିନ୍ଦର ସିଂହ, ୨୩ ବର୍ଷୀୟ ବିରେନ୍ଦ୍ର ସିଂହ ଓ ୧୮ ବର୍ଷୀୟ ଜସପ୍ରୀତ ସିଂହ । ଏମାନଙ୍କ ପାଖରେ ଗୋଟିଏ ଚୋରି ବାଇକ ମଧ୍ୟ ଥିଲା ଯାହା ପୁରନପୁରରୁ ଚୋରି ହୋଇଥିଲା । ଏଥିସହ ୨ଟି ଏକେ-୪୭ ରାଇଫଲ, ୨ଟି ବିଦେଶୀ ପିସ୍ତଲ ଓ ଅନେକ ମାତ୍ରାରେ ଗୁଳିଗୋଳା ଜବତ ହୋଇଛି । ଅଭିଯୁକ୍ତ ମାନେ ପଞ୍ଜାବରେ ପୋଲିସ ଚେକ ପଏଣ୍ଟ ଉପରେ ଗ୍ରେନେଡ ଆକାଟ୍ କରିଥିଲେ । ଏନକାଉଣ୍ଟର ସମୟରେ ଅଭିଯୁକ୍ତମାନଙ୍କ ଗୁଳିମାଡରେ ୨ଜଣ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ।"