thumbnail

ରଥଖଳା ହାଲଚାଲ: ସରିଲା ନିରାଡି କାର୍ଯ୍ୟ, ଗୟଳ ହଣା କାର୍ଯ୍ୟ ଜାରି

By

Published : Jun 8, 2022, 4:36 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଗୟଳ ହଣା କାର୍ଯ୍ୟ ଜାରି ରହି ଥିବାବେଳେ ନିରାଡି କାର୍ଯ୍ୟ ଶେଷ ହୋଇଛି । ତିନି ରଥର ଦଣ୍ଡା ଉଠି ଏଥିରେ ନିରାଡ଼ି, କୋଣଗୁଜ ଆଦି ସଂଯୋଗ କରାଯାଇଛି । ତିନିରଥର ଦଣ୍ଡା ପଡ଼ିଲା ପରେ ‘ଦଣ୍ଡା ଗୋଳେଇ’ କାର୍ଯ୍ୟ ପରେ ଦଣ୍ଡାଗୁଡ଼ିକରେ ଅର୍ଦ୍ଧଚନ୍ଦ୍ରାକାର ଖୋଦେଇ ସାରି ଦଣ୍ଡା ଓ ଅଖକୁ ଖାପରେ ପକାଇ ଦଉଡ଼ିରେ ଟାଣ ଦେଇ ବାନ୍ଧିଥିଲେ । ଏହାପରେ ପଞ୍ଚ ଦଣ୍ଡା ଆଗ ଓ ପଛରେ ମୁହାଣ୍ଡ ସଂଯୋଗ ହୋଇଥିଲା । ଆଗ ମୁହାଣ୍ଡରେ ୫ଟି ସାଲ ଗୁଜ ଓ ପଛ ମୁହାଣ୍ଡରେ ୩ଟି ଜଳଯନ୍ତ୍ର ସହ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ଉଠିଛି । ତିନି ରଥର ମହାରଣା, ଓଝା, ଭୋଇ ସେବକମାନେ ପଞ୍ଚ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିବେ । ତିନିରଥର ରୂପକାର ସେବକମାନେ କୁମ୍ଭ, ଡାଳିଲତା, ପଦ୍ମ ପାଖୁଡ଼ା ଖୋଦେଇ ଜାରି ରଖିଛନ୍ତି । ତିନି ରଥର ୪ଟି ଲେଖାଏଁ ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରହିଛି । ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା ଉପରିଭାଗ ପାଇଁ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.